କାଲି ଆସିବ ୧୯ ମହାଭାରତର ଫଳାଫଳ । ଗଡୁଛି ସମୟ, ବଢୁଛି ନେତାଙ୍କ ହୃତସ୍ପନ୍ଦନ । କାହା ସପକ୍ଷରେ ଯିବ ଜନାଦେଶ, କାଲି ଖୋଲିବ ଭାଗ୍ୟର ପେଡି ।

153

କନକ ବ୍ୟୁରୋ : କାଲି ଆସିବ ୧୯ ମହାଯୁଦ୍ଧର ଫଳାଫଳ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଯେଉଁ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛି ସାରା ଭାରତ । ଆସନ୍ତାକାଲି ଖୋଲିବ ନେତାଙ୍କ ଭାଗ୍ୟର ପେଡି । ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ଆସିବାକୁ ଆଉ ମାତ୍ର ୨୪ ଘଣ୍ଟାର ସମୟ ବାକି ଥିବା ବେଳେ ବଢିଯାଇଛି ରାଜନୀତିର ପାରଦ । ନିର୍ବାଚନ ରେଜଲ୍ଟ ପାଇଁ ବଢୁଛି ଉତ୍କଣ୍ଠା । ଆସନ୍ତାକାଲି ସ୍ପଷ୍ଟ ହୋଇଯିବ ରାଜନୀତିର ରଣାଙ୍ଗନରେ କିଏ ପିନ୍ଧିବ ବିଜୟ ଟୀକା ।

୨୦୧୯ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ନେତାଙ୍କ ବୟାନବାଜି, ରାଜନୀତି ମଇଦାନକୁ ଅଧିକ ସରଗରମ କରିଛି । ବିଜୟ ନେଇ ସମସ୍ତ ରାଜନୈତିକ ଦଳଗୁଡିକ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ଆଉ ଅନ୍ୟପଟେ ଏକଜିଟ୍ ପୋଲର ଆକଳନ ଅନେକ ନେତାଙ୍କ ରାଜନୈତିକ ଭବିଷ୍ୟତକୁ ଦ୍ୱନ୍ଦ୍ୱ ଭିତରକୁ ଟାଣି ନେଇଛି । ନିକଟ ଅତୀତରେ ଆନ୍ଧ୍ର, ଛତିଶଗଡ, ଉତ୍ତର ପ୍ରଦେଶ, ବିହାର, ତାମିଲନାଡୁ, ଦିଲ୍ଲୀ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ଏକଜିଟ୍ ପୋଲ ଆକଳନ ଭୁଲ ସାବ୍ୟସ୍ତ ହୋଇଛି । ତେଣୁ ବିଜେପି ବିରୋଧୀ ଚଳିତଥର ଏକଜିଟ୍ ପୋଲ ସର୍ଭେକୁ ଗ୍ରହଣ କରିପାରୁ ନାହାନ୍ତି ।

କୁହାଯାଉଛି ସାଢେ ୪ ବର୍ଷରୁ ଅଧିକ ସମୟ ଧରି ଦେଶରେ ନିର୍ବାଚନ ଲଢେଇର ନ୍ୟାରେଟିଭ ଥିଲା ବିମୁଦ୍ରାୟନ, ନିଯୁକ୍ତି, ଜିଏସଟି, କଳାଧନ, ରାଫେଲ ଦୁର୍ନୀତି ଓ ପ୍ରତିଶ୍ରୁତି ପୂରଣରେ ଶାସକ ଦଳର ବିଫଳତା ଭଳି ତମାମ ପ୍ରସଙ୍ଗ । ହେଲେ ଠିକ୍ ନିର୍ବାଚନର କେଇମାସ ପୂର୍ବରୁ ଏହି ନ୍ୟାରେଟିଭକୁ ବଦଳାଇଦେଲେ ମୋଦି-ଶାହା ଯୋଡି । ବିଲେଇ କପାଳକୁ ଶିକା ଛିଡିଲା ଭଳି ପୁଲୱାମା ଆକ୍ରମଣ ଓ ଏହା ପରେପରେ ପାକିସ୍ତାନ ବାଲାକୋଟରେ ସେନାର ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଜୋରଦାର ରାଜନୀତି କଲା ବିଜେପି । ଏହାର ଫାଇଦା ବିଜେପିକୁ ମିଳିଥାଇପାରେ ।

ଏନଡିଏକୁ ବହୁମତ ନମିଳିଲେ ପ୍ରମୁଖ ଭୂମିକା ନେବେ ଅଣବିଜେପି ଦଳ । ବିଶେଷ କରି ବିଜେପି ଓ ମୋଦି ବିରୋଧୀ ଭାବେ ଜଣାଶୁଣା ମମତା, ମାୟାବତୀ ଓ ଅଖିଳେଶଙ୍କ ଗୁରୁତ୍ୱ ଜାତୀୟ ରାଜନୀତିରେ ବଢିବ । ମ୍ୟାଜିକ ନମ୍ବର ହାସଲ ପାଇଁ ଏମାନେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଂଟକୁ ବ୍ଲାକମେଲ୍ ମଧ୍ୟ କରିପାରନ୍ତି । ସଂଖ୍ୟା ଖେଳରେ ନିଜ ରାଜ୍ୟ କିମ୍ବା ଦଳ ପାଇଁ ବଡଧରଣର ବାର୍ଗେନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ହେଲେ ସବୁକିଛି ନିର୍ଭର କରୁଛି ମେ ୨୩ର ଫଳାଫଳ ଉପରେ । କାରଣ ଏକଜିଟ୍ ପୋଲ ଓ ଏକଜାଟ୍ ପୋଲ୍ ଭିତରେ ଏକ ବଡ ତଫାତ ବି ଅତୀତରେ ରହିଛି ।