ସହିପାରିଲେନି ବନ୍ଧୁଙ୍କ ସଫଳତା । ଇର୍ଷା ପରାୟଣ ହୋଇ କଲେ ହତ୍ୟା । ୭ ମାସ ପରେ ପର୍ଦ୍ଧାଫାସ କଲା ପୋଲିସ ।

201

କନକ ବ୍ୟୁରୋ: କୋରାପୁଟ ଜିଲ୍ଳା ପାଡ଼ୁଆ ଥାନା ଅଞ୍ଚଳରେ ୭ ମାସ ତଳେ ନିଖୋଜ ହୋଇଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ ତଦନ୍ତ କରୁ କରୁ ପୋଲିସ୍ ହାତରେ ଲାଗିଥିଲା ସାଂଘାତିକ ତଥ୍ୟ । ଜଣେ ସାଙ୍ଗର ସଫଳତାରେ ଇର୍ଷା ପରାୟଣ ହୋଇ ଶେଷରେ ତାଙ୍କୁ ହତ୍ୟା କଲେ ଆଉ ୭ ଜଣ ସାଙ୍ଗ । ଆଉ ଏହି ହତ୍ୟାକାଣ୍ଡର ୭ ମାସ ପରେ ଏହି ରହସ୍ୟର ପର୍ଦାଫାଶ ହୋଇଛି । ହାତିବାରି ଗ୍ରାମ ପଞ୍ଚାୟତର ଡ଼ୁମୁରି ବାରି ଗ୍ରାମର ମହନଦାସ ହନ୍ତାଳ ମାର୍ଚ୍ଚ ମାସରୁ ନିଖୋଜ ଥିଲେ । ହେଲେ କାହିଁକି ଓ କେମିତି ନିଖୋଜ ହୋଇଗଲେ ଟେର ପାଉନଥିଲା ପୋଲିସ୍ । ହେଲେ ଏବେ ଯେଉଁ ସତ ସାମ୍ନାକୁ ଆସିଛି, ତାହା ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ମହନଦାସ ହନ୍ତାଳ ଗାଁରେ ହେଉଥିବା ସରକାରୀ ଠିକା କାମ କରୁଥିଲେ । ହେଲେ ଏହାକୁ ସହି ପାରୁ ନଥିଲେ ସେହି ଗ୍ରାମର ସାଙ୍ଗମାନେ, କାରଣ ସେମାନଙ୍କୁ ଠିକାକାମ ମିଳୁ ନଥିଲା । ଆଉ ଏଥିପାଇଁ ସେମାନେ ଏକାଠି ମହନଦାସଙ୍କୁ ରାସ୍ତାରୁ ହଟାଇ ଦେବାକୁ ରଚିଥିଲେ ଷଡ଼ଯନ୍ତ୍ର । ଯୋଜନା ମୁତାବକ ମହନଦାସ ଘରକୁ ଫେରୁଥିବା ବେଳେ ବାଟରେ ତାଙ୍କୁ ସାବଳ, ରଡ଼ରେ ଆକ୍ରମଣ କରି ଜୀବନରେ ମାରିଦେଇଥିଲେ । ଏହାପରେ ଏକ ଜରି ବସ୍ତାରେ ହାତ ଗୋଡ଼ ବାନ୍ଧି ନିକଟ ଏକ ପାହାଡ଼ ଉପରେ ମାଟି ତଳେ ପୋତି ଦେଇଥିଲେ । ହତ୍ୟାକାଣ୍ଡରେ ସାମିଲ ଥିବା କାହ୍ନୁ ଖରା, ଶିବ ଖରା,ଭିମାନ ଗେମେଲ, ତାମନା ଗେମେଲ,ରାମାରାଓ ଗେମେଲଙ୍କୁ ପୋଲିସ୍ ଗିରଫ କରିଥିବା ବେଲେ ଅନ୍ୟ ୨ ଜଣ ଫେରାର ଅଛନ୍ତି ।