କନକ ବ୍ୟୁରୋ : ଖୋଲୁନି କପା ମଣ୍ଡି । ଚିନ୍ତାରେ ରାୟଗଡ଼ା ଅଂଚଳର କପା ଚାଷୀ । ଗୋଟିଏ ପଟେ ନିଅଂଟିଆ ବର୍ଷା ଅନ୍ୟପଟେ ମଣ୍ଡି ନଖୋଲିବା କପା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଏବେ ଅମଳ ସମୟ ଚାଲିଥିବା ବେଳେ ଚାଷୀଙ୍କ ଘରେ ପଡ଼ିରହିଛି କ୍ୱିଂଟାଲ କ୍ୱିଂଟାଲ କପା । ଅମଳ ପରେ କିଏ ସୁଖାଇବାରେ ବ୍ୟସ୍ତ ତ ପୁଣି କିଏ ଘରେ ସାଇତି ରଖୁଛନ୍ତି । ମଣ୍ଡି ଖୋଲାଯାଇନଥିବାରୁ ଅସାଧୁ ବ୍ୟବସାୟୀଙ୍କ ନଜର ଏବେ କପା ଚାଷୀଙ୍କ ଉପରେ ପଡ଼ିଛି । ଅନ୍ୟପଟେ ସରକାରୀ ମୂଲ୍ୟ କୁଇଂଟାଲ ପିଛା ୭ହଜାର ଶହେ ଟଙ୍କା ଥିବା ବେଳେ ମଣ୍ଡି ବ୍ୟବସ୍ଥା ନଥିବାରୁ ବାହାର ରାଜ୍ୟର ବ୍ୟବସାୟୀଙ୍କୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।

Kanak News is now on WhatsApp
Join and get latest news updates delivered to you via WhatsApp
ଚଳିତ ବର୍ଷ ଗୁଣୁପୁର କୃଷି ଜିଲ୍ଲାରେ ୨୪ ହଜାର ହେକ୍ଟରରୁ ଅଧିକ ଜମିରେ କପା ଚାଷ କରିଛନ୍ତି ଚାଷୀ । ଗୁଣୁପୁର ବ୍ଲକରେ ୭ହଜାର ୧୦୫ ହେକ୍ଟର, ପଦ୍ମପୁରରେ ୩ହଜାର ୧୦୦ହେକ୍ଟର, ଗୁଡ଼ାରୀରେ ୩ହଜାର ୮୧୦ ଓ ରାମନାଗୁଡ଼ା ବ୍ଲକରେ ୧୦ହଜାର ୨୦୦ ହେକ୍ଟର ଜମିରେ କପା ଚାଷ ହୋଇଛି । ଅନ୍ୟପଟେ ଖୁବଶୀଘ୍ର ମଣ୍ଡି ଖୋଲିବା ପ୍ରସଙ୍ଗରେ ଏକ ବୈଠକ କରାଯିବା ସହ ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ।
କପା ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ ଏହି ଚାଷ ଉପରେ ନିର୍ଭର କରନ୍ତି ରାୟଗଡ଼ା ଜିଲ୍ଲାର ଅଧିକାଂଶ ଚାଷୀ । ତେଣୁ ଖୁବ୍ଶିଘ୍ର ମଣ୍ଡି ଖୋଲିବାକୁ ଦାବି କରିଛନ୍ତି ସ୍ଥାନୀୟ ଅଂଚଳର ଚାଷୀ ।