ବର୍ଷାରେ ଭିଜି କଳାପଡିଲା କପା, ବିକ୍ରିକୁ ନେଇ ଚିନ୍ତାରେ ଚାଷୀ । ଅଦିନିଆ ବର୍ଷାରେ ଅମଳ ଫସଲରେ ଲାଗିଲା ପୋକ ।

55

କନକ ବ୍ୟୁରୋ : ଦୁଃଖ ଦେଇଗଲା ଅଦିନିଆ ବର୍ଷା । ଧାନ ବର୍ଷା ପାଣିରେ ଭିଜି ଗଜା ହବାକୁ ବସିଥିବା ବେଳେ, ତୋଳା ହୋଇନଥିବା କପା ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି । ଯାହାକୁ ନେଇ ଚାଷୀ କୂଳ ଏବେ ଚିନ୍ତାରେ ପଡିଛନ୍ତି ।

ବର୍ଷାରେ ଭିଜି କଳା ପଡିଲା କପା । ବିକ୍ରିକୁ ନେଇ ଚିନ୍ତାରେ ଚାଷୀ । ଝାଳ ବୁହାଇ ବିଲରେ ଧଳା ସୁନା କପା ଫଳାଇଥିଲେ ଚାଷୀ । ହେଲେ ଅଦିନିଆ ବର୍ଷା ଦାଉ ସାଧିଲା । ବର୍ଷାରେ ଓଦା ହେବା ଯୋଗୁଁ ଏବେ କପା କଳା ପଡିଯାଉଛି । ଯାହା ଅମଳ ହୋଇଥିଲା ସେଗୁଡିକ ମଧ୍ୟ ଓଦା ହୋଇ ପୋକ ଲାଗିଲାଣି । ରାୟଗଡା ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଷ ହୋଇଥିବା ଏକର ଏକର ଜମିରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଓଦା କପାକୁ କେମିତି ବିକ୍ରି କରିବେ, କିଏ କିଣିବ? ସେନେଇ ଚିନ୍ତାରେ ପଡିଛନ୍ତି କପା ଚାଷୀ ।

ମଣ୍ଡିକୁ ନେବା ପୂର୍ବରୁ ଖଳାରେ ଭିଜିଲା ଧାନ । କ୍ଷତିପୂରଣ ଦେବାକୁ ଦାବି । ମଣ୍ଡିକୁ ଧାନ ନେବା ପାଇଁ ଟୋକନ ମିଳିସାରିଥିଲା । ନିର୍ଦ୍ଧାରିତ ତାରିଖରେ ମଣ୍ଡିକୁ ନେବା ପାଇଁ ଖଳାରେ ଥିବା ଧାନ ବସ୍ତାରେ ପ୍ୟାକିଙ୍ଗ ବି କରି ସାରିଥିଲେ ଚାଷୀ । ହେଲେ ଦୀର୍ଘ ୪ ଦିନର ଅଦିନିଆ ବର୍ଷାରେ ଧାନ ଓଦା ହୋଇ ନଷ୍ଟ ହୋଇଯିବା ପରେ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ ।