କନକ ବ୍ୟୁରୋ: ଜାଲ୍ କାଗଜପତ୍ର ମାଧ୍ୟମରେ ବଡ଼ ଧରଣର ଜାଲିଆତି ହୋଇଥିବାର ଅଭିଯୋଗ ଆସିଛି । ଯେଉଁଥିରେ ମାଲାମାଲ ହେଉଛନ୍ତି ଅସାଧୁ ବ୍ୟବସାୟୀ, ସବୁକିଛି ହରାଉଛନ୍ତି ବଲାଙ୍ଗୀରର କପାଚାଷୀ । ଚାଷୀଙ୍କ ନାଁରେ ଜାଲ କାଗଜପତ୍ର କରି ଧଳା ସୁନାର କଳା ବେପାର ଚାଲିଛି । ଆଉ ଏସବୁ କିପରି ଚାଲିଛି ତାର ପ୍ରମାଣ ଲାଗିଛି କନକ ନ୍ୟୁଜ ହାତରେ ।

Advertisment

publive-image

ଧଳା ସୁନାର କଳା ବଜାର । ଚାଷୀଙ୍କ ନାଁ ଜାଲିଆତି କରି କପା ବିକୁଛି ଅସାଧୁ ବ୍ୟବସାୟୀ । ଆର୍ଏମସି କର୍ମଚାରୀଙ୍କୁ ହାତ କରି ହେଉଛନ୍ତି ମାଲାମାଲ । ହତାଶ ହେଉଛନ୍ତି କପା ଚାଷୀ । କପା ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ଦେବା ପାଇଁ ଆରଏମସି ଜରିଆରେ ସିସିଆଇ ଅକ୍ସନ କରି କପା କିଣିବା ବ୍ୟବସ୍ଥା ହୋଇଛି । କେବଳ ଚାଷୀଙ୍କ ପାଇଁ ଏହି ବ୍ୟବସ୍ଥା ଥିବାରୁ ସେମାନଙ୍କ ଜମି ପଟ୍ଟା, ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଂଟ ଯାଂଚ କରି ପ୍ରକୃତ ଚାଷୀ ଚିହ୍ନଟ କରାଯାଏ । ତେବେ ଜମି ପଟ୍ଟା ଖାତା ଖତିଆନରେ ଚାଷୀଙ୍କ ନାଁ କାଟି କିଛି ବ୍ୟବସାୟୀ ସେମାନଙ୍କ ନାଁ ଲେଖି ଚଳାଇଛନ୍ତି ଅସାଧୁ କାରବାର । ଚାଷୀଙ୍କ ଠାରୁ କମ୍ ଦାମରେ କପା କିଣି ହେଉଛନ୍ତି ମାଲାମାଲ । ଏପରି ଅଭିଯୋଗ ଆସିବା ପରେ ପ୍ରକୃତ ସ୍ଥିତି ପରଖିବାକୁ କନକ ନ୍ୟୁଜ ପହଁଚିଥିଲା ବଲାଙ୍ଗୀର ବେଲପଡାରେ ଥିବା ସମଲେଶ୍ୱରୀ କଟନ ମିଲ୍ ।

publive-image

ଆଉ ଏକ ଫର୍ଜି ପଟ୍ଟା ଉପରେ ନଜର ପକାନ୍ତୁ, ଖାତାଧାରୀଙ୍କ ସ୍ଥାନରେ ଲେଖାଅଛି - ଶଙ୍କର ଜୈନ, ପିତା - ମେଘରାଜ ଜୈନ, ତହସିଲ – ବଙ୍ଗୋମୁଣ୍ଡା, ଖତିୟାନ ନମ୍ବର ୫୯, କିନ୍ତୁ ପ୍ରକୃତ ଖାତାଧାରୀ ହେଉଛନ୍ତି ଖାଜାଂଚିଲାଲ ଜୈନ .ପିତା ବନବାରି ଜୈନ । ସେହିପରି ଏହି ପଟ୍ଟାରେ ରହିଛି - ମେଘରାଜ ଜୈନ, ପିତା - ଚନ୍ଦ୍ରଭାନୁ ଜୈନ, ତହସିଲ – ବଙ୍ଗୋମୁଣ୍ଡା, ଖତିୟାନ ନମ୍ବର ୨୬ । ହେଲେ ପ୍ରକୃତ ପଟ୍ଟାଧାରୀ ହେଉଛନ୍ତି - ଇନ୍ଦ୍ର ଭୁଏ, ପିତା ସୁକାଭୁଏ । ଏହିପରି କେଉଁ ପଟ୍ଟାରେ ନାଁ ବଦଳା ଯାଇଛି ତ କେଉଁଥିରେ ତହସିଲ, ଥାନା କିମ୍ବା ଖାତା ନମ୍ବର ବଦଳାଯାଇଛି ।

publive-image

ସେହିଭଳି ବଲାଙ୍ଗୀର ଜିଲ୍ଲାରେ ୧୪ ଟି କଟନ ମିଲ୍ ଓ ୨ ଟି ଆରଏମସି ଥିବା ବେଳେ ୯ ଟି ମିଲରେ କପା କିଣୁଛି ସିସିଆଇ । ଆରଏମସି, ସିସିଆଇ, ମିଲର୍ ଓ ଅସାଧୁ ବ୍ୟବସାୟୀ ମିଳିମିଶି ଚଳାଇଛନ୍ତି  ଏହି ଧଳା ସୁନାର କଳା ବ୍ୟବସାୟ । ପାଟଣାଗଡ ଉପଜିଲ୍ଲାପାଳ ଫୋନ ଯୋଗେ କହିଛନ୍ତି, ଏହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ତେବେ କନକ ନ୍ୟୁଜ ଖବର ସଂଗ୍ରହ କରିବା ବେଳେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ଜଣେ ଆସାଧୁ ବ୍ୟବସାୟୀ । ଅଭିଯୋଗ ହୋଇଛି, ଆରଏମସି ବା ନିୟନ୍ତ୍ରିତ ବଜାର କମିଟି କର୍ମଚାରୀଙ୍କୁ ହାତ କରି ଚାଲିଛି ଏହି କଳା ବଜାରୀ ।