କନକ ବ୍ୟୁରୋ: ଆସିକା ଚିନି ଶିଳ୍ପରେ ଦୁର୍ନୀତିର ଗନ୍ଧ । ମଦ ବୋତଲ କିଣା ଓ ମୋଲାସେସ ବିକାରେ ଦୁର୍ନୀତି ହୋଇଥିବା ଆସିଛି ଅଭିଯୋଗ । ଗଂଜାମ ଜିଲ୍ଲା ଆସିକାର ବହୁ ପୁରୁଣା ଏହି ଚିନି ଶିଳ୍ପ । ଏବେ ଶିଳ୍ପ ବିରୋଧରେ ଆସିଛି ମଦ କାଚ ବୋତଲ କିଣାରେ ଦୁର୍ନୀତିିର ଅଭିଯୋଗ । ଏଠାରେ ତିଆରି ହେଉଥିବା ମଦକୁ ବୋତଲରେ ଭର୍ତିକରି ପାଖାପାଖି ଓଡିଶାର ଆଠଟି ଜିଲ୍ଲାକୁ ପଠାଯାଇଥାଏ । ହେଲେ ଏହି ମଦ ବୋତଲ କିଣାରେ ଏବେ ବ୍ୟାପକ ଦୁର୍ନୀତି ହୋଇଛି । ବୋତଲ କିଣିବା ଲାଗି ଚିନି ଶିଲ୍ପ ପକ୍ଷରୁ ୨୦୨୨ ମସିହା ମାର୍ଚ୍ଚ ମାସରେ ଟେଣ୍ଡର ଆହ୍ୱାନ କରାଯାଇଥଲେ ବି ମାସକ ପରେ ଏହି ସଂସ୍ଥା ଟେଣ୍ଡର ଚୁକ୍ତିର ଖିଲାପ କରିଥିଲା ।
ଏହି କମ୍ପାନି ପ୍ରତି ଚିନି ଶିଳ୍ପ କର୍ତ୍ତୃପକ୍ଷରୁ କୌଣସି କାଯ୍ୟାନୁଷ୍ଠାନ ନନେଇ ପୁଣି ରି-ଟେଣ୍ଡର କରି ସେହି କମ୍ପାନିକୁ ହିଁ ବୋତଲ ପ୍ରତି ୪.୯୮ପଇସା ହିସାବରେ କିଣାଗଲା । ସେହିଭଳି ଏବେ ପୁଣି ମୋଲାସେସ ବିକାରେ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗତ ବର୍ଷ ଯେଉଁ ସଂସ୍ଥାକୁ ମୋଲାସେସ ୧୦ ହଜାରରୁ ଅଧିକ ଟଙ୍କାରେ ୧ ମେଟ୍ରିକ ଟନ୍ ବିକ୍ରି କରାଯାଇଥିଲା ସେହି ସଂସ୍ଥାକୁ ଚଳିତ ବର୍ଷ ୭୦୦୦ ଟଙ୍କାରେ ବିକ୍ରି କରାଯାଇଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଟଙ୍କାରେ ମୋଲାସେସ ବିକ୍ରିକରିବା ବଦଳରେ କମରେ ବିକ୍ରି କରାଯାଇଛି । ଯାହାର ବିରୋଧ କରାଯିବା ସହିତ ଏହାର ତଦନ୍ତ ପାଇଁ ଜିଲ୍ଲାପାଳ ଓ ସମବାୟ ସଂସ୍ଥାର ନିର୍ଦେଶକଙ୍କୁ ଚିଠି ମାଧ୍ୟମରେ ଜଣାଯାଇଛି ।