କନକ ବ୍ୟୁରୋ : ରାଜନଗର ବ୍ଲକ କୋଇଲିପୁର ପଂଚାୟତ ବଡପଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ସବଷ୍ଟେସନ ଯାଇଥିବା ରାସ୍ତା ତନ୍ତିଆପାଳ-ବଡପଲ୍ଲୀ ରାସ୍ତାକୁ ସଂଯୋଗ କରୁଛି । ୨୦୧୮ରୁ ୨୦୨୧ ଭିତରେ ରାସ୍ତାର ୭୦ ମିଟର ଢଳେଇ ହୋଇଥିବା ବେଳେ ୧୮୦ ମିଟର ଫେବରବ୍ଲକ କରାଯାଇଛି । ୨୦୨୨, ଜାନୁଆରୀ ମାସରେ ରାଜନଗର ବିଧାୟକ ଏହାକୁ ଲୋକାର୍ପଣ କରିଥିଲେ । ହେଲେ ଏବେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେଉଥିବା ବେଳେ ସରକାରୀ ରେକର୍ଡରେ କିନ୍ତୁ ରାସ୍ତା ଚକାଚକ ରହିଛି । ୨୦୨୧ରୁ ୨୦୨୩ ଭିତରେ ରାସ୍ତା ମୁଠାଏ ବାଲି ପଡିନାହିଁ , କିନ୍ତୁ ଗତ ୭ ମାସରେ ୩ଟି ଯୋଜନାରେ ୭ ଲକ୍ଷ ୭୮ ହଜାର ୭୮୮ ଟଙ୍କା ଖର୍ଚ୍ଚ ହୋଇଛି । ୫ ବର୍ଷରେ ୨୫୦ ମିଟର ରାସ୍ତାକୁ ୮ଥର ନିର୍ମାଣ ଓ ମରାମତି କରାଯାଇଛି । ଏ ବାବଦରେ ୧୫ ଲକ୍ଷ ୪୪ ହଜାର ୯୮ ଟଙ୍କା ଉଠାଯାଇଥିବା ସୂଚନା ଅଧିକାର ଆଇନ ବଳରେ ଜଣାପଡିଛି । ଗୋଟିଏ ରାସ୍ତା ପାଇଁ ବାରମ୍ବାର ବିଲ୍ କରି ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି ।

Advertisment

ରାସ୍ତା ଦୁର୍ନୀତି କେବଳ କୋଇଲିପୁର ପଂଚାୟତ ଦୁର୍ନୀତି ସୀମିତ ରହିନି । ୨୦୧୯, ଡିସେମ୍ବର ୨୮ରେ ଶ୍ମଶାନ ଚାରିପଟେ ବୃକ୍ଷରୋପଣ ପାଇଁ ଦୁଇଟି ପର୍ଯ୍ୟାୟରେ ୪ ଲକ୍ଷ ୯୯ ହଜାର ୯୯୮ ଟଙ୍କା ଉଠା ଯାଇଛି । ହେଲେ ମଶାଣି ଚାରିପଟେ ଗୋଟିଏ ବି ଗଛ ନାହିଁ । ସେହିପରି ପଂଚାୟତର ମିନି ଷ୍ଟାଡିୟମ ପାଭିଲିୟନ ନିର୍ମାଣ ପାଇଁ ମନରେଗା ଓ କେନ୍ଦ୍ରାପଡା ସାଂସଦଙ୍କ ପାଣ୍ଠିରୁ ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ଖାତାରେ ଉଲ୍ଲେଖ ରହିଛି । ପାଭିଲିୟନ ପାଇଁ କାହିଁକି ଓ କିପରି ଏତେ ଟଙ୍କା ଖର୍ଚ୍ଚ କରାଗଲା ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ସେପଟେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜନଗର ବିଡିଓ ପତିକ୍ରିୟା ଦେଇଛନ୍ତି ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କୋଇଲିପୁର ପଂଚାୟତ ପୂର୍ବତନ ସରପଂଚଙ୍କ ମୁଣ୍ଡ ଉପରେ ଶାସକ ଦଳର ବଡ ବଡ ନେତାଙ୍କ ହାତ ଥିବାରୁ ଏଭଳି ଚଂଚକତା କରି ଅର୍ଥ ହରିଲୁଟ କରାଯାଇଥିଲେ ବି ପ୍ରଶାସନ ଚୁପ ରହିଛି ।