କନକ ବ୍ୟୁରୋ : ଭଂଗା ଦଦରା ଓ ଅପରିଷ୍କାର ଅବସ୍ଥାରେ ପଡିଛି କଳାହାଣ୍ଡି ଜୁନାଗଡ ବ୍ଲକରେ ଥିବା ତାଲିମ ଓ ଉତ୍ପାଦନ ବା ଟିସିପିସି କେନ୍ଦ୍ର । ଦିନେ ସ୍ଥାନୀୟ ବେକାର- ଯୁବତୀଙ୍କ ପାଇଁ ପ୍ରଶିକ୍ଷଣର ମାଧ୍ୟମ ସାଜିଥିବା ଏହି କେନ୍ଦ୍ରକୁ ଦେଖିଲେ ଲାଗୁଛି ଏହା ଯେମିତି କୌଣସି ଭଂଗା ଗୋଦାମ ଘର । କିନ୍ତୁ ବିଡମ୍ବନାର ବିଷୟ ହେଉଛି, ଏହାର ପୁନଃରୁଦ୍ଧାର ପାଇଁ ମାତ୍ର କିଛି ମାସ ତଳେ ସରକାରୀ ପାଣ୍ଠିରୁ ତିନୋଟି ପର୍ଯ୍ୟାୟରେ ପ୍ରାୟ ପଶ୍ଚିମ ଓଡିଶା ବିକାଶ ପାଣ୍ଠିରୁ ପ୍ରାୟ ୧୮ଟଙ୍କା ଖର୍ଚ୍ଚ କରାଯାଇଥିଲା । ହେଲେ, ମରାମତି ପରେ ବି, ଅବସ୍ଥା ଏମିତି ରହିଛି । କେତେକ ସ୍ଥାନରେ କେବଳ ଟାଇଲ ବିଛାଇ ଠିକାଦାର ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି ।
ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ବି ଏହି ପ୍ରଶିକ୍ଷଣ କେନ୍ଦ୍ର ପରିତ୍ୟକ୍ତ ଅବସ୍ଥାରେ ପଡିବାକୁ ନେଇ ତେଜିଛି ରାଜନୀତି । ବିରୋଧୀ ଦଳ ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ତେବେ ଶାସକ ଦଳର ନେତାଙ୍କ କହିବା କଥା ଏହାକୁ ନେଇ ରାଜନୀତି କରାନଯାଉ । ତାଲିମ କେନ୍ଦ୍ର ନହେଲେ ମଧ୍ୟ ଏହା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କାମରେ ଆସିବ ।
ଜୁନାଗଡ ସହରରେ ୧୯୫୦ ମସିହାରେ ବେକାର ଯୁବକ-ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦେବା ଉଦେଶ୍ୟରେ ଏହି କେନ୍ଦ୍ରରେ ଆରମ୍ଭ ହୋଇଥିଲା । ୧୯୫୩ ପର୍ଯ୍ୟନ୍ତ ଏହା ବିଦ୍ଧିବଦ୍ଧ ଭାବେ ଚାଳିଥିଲା । ପ୍ରଷିବର୍ଷ ବିଭିନ୍ନ ବିଭାଗରେ ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଥିଲେ । କିନ୍ତୁ ୧୯୬୧ରେ ଭବାନୀପାଟଣା ସହରରେ ସରକାରୀ ଆଇଟିଆଇ ଖୋଲିବା ପରେ ଏହାକୁ ଅଣଦେଖା କରାଯାଇଥିଲା । ହେଲେ, ଏହି କେନ୍ଦ୍ରକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରିଥିଲେ ସ୍ଥାନୀୟ ବିଧାୟକ । ଏଥିପାଇଁ ୨୦୧୯-୨୦ଆର୍ଥିକ ବର୍ଷରେ ପ୍ରାୟ ୧୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।