ରାତି ଅଧିଆ କାମ ହେଉଛି, ସକାଳେ ପିଚୁ ଉଠିଯାଉଛି । କେନ୍ଦୁଝର ପାଟଣା ବ୍ଲକ ରାସ୍ତା କାମରେ ଠିକାଦାରଙ୍କ କାରନାମା ।

240

କନକ ବ୍ୟୁରୋ: ରାତିରେ ଚାଲିଛି ରାସ୍ତାକାମ । ଆଉ ସକାଳ ହେଲେ ଉଠି ଯାଉଛି ପିଚୁ । ରାସ୍ତାକାମର ଏଭଳି ନିମ୍ନମାନର କାମର ଚିତ୍ର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରୁ ଆସିଛି । ସେପଟେ ଆରଟିଆଇ ତଥ୍ୟ ଅନୁସାରେ, ବର୍ଷକ ପୂର୍ବରୁ ଏହି ରାସ୍ତାକାମ ହେବାର ଥିଲା । କିନ୍ତୁ ରାସ୍ତା ନିର୍ମାଣ କରିନଥିଲେ ଠିକାଦାର । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଅତି ତରବରିଆ ଭାବେ ଚାଲିଛି ଏହି ରାସ୍ତା ତିଆରି । କିନ୍ତୁ ଏହି ନିର୍ମାଣକୁ ନେଇ ଆରଟିଆଇରେ ଯେଉଁ ତଥ୍ୟ ସାମନାକୁ ଆସିଛି ତାହା ଚର୍ଚ୍ଚାର ବିଷୟ ହୋଇଛି । ତଥ୍ୟ ଅନୁସାରେ ବର୍ଷକ ପୂର୍ବରୁ ଏହି ରାସ୍ତାକାମ ହେବାର ଥିଲା । କିନ୍ତୁ ରାସ୍ତା ନିର୍ମାଣ କରିନଥିଲେ ଠିକାଦାର । ହେଲେ ସମ୍ପୃକ୍ତ ଠିକାଦାରଙ୍କୁ ଲକ୍ଷେ କିମ୍ବା ଦୁଇ ଲକ୍ଷ ଟଙ୍କା ନୁହେଁ ପୂରା ୪୫ ଲକ୍ଷ ୪୧ ହଜାର ଟଙ୍କାର ବିଲ କରି ଦେଇଥିଲେ ସରକାରୀ ବାବୁ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପାଇଁ ଲେଟର ନମ୍ବର ୨୨୧୬ରେ ୨୦୨୩ ମସିହା ମେ’ ୨୦ ତାରିଖରେ ଠିକାଦାରଙ୍କୁ କେନ୍ଦୁଝର ଆରଡବ୍ଲ୍ୟୁ ଡିଭିଜନ- ୱାନ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅନୁମତି ପରେ ଟଙ୍କା ମିଳିଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ଟଙ୍କା ପାଇବାକୁ ଏହା ଭିତରେ ମାସ ମାସ ବିତିଯାଇଥିଲେ ବି ରାସ୍ତା ନିର୍ମାଣ ହୋଇନଥିଲା । ଏବେ ରାତି ଅଧିଆ ଚାଲିଛି ରାସ୍ତା ତିଆରି ।

ରାସ୍ତା ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ଅନିୟମିତତା ହୋଇଥିବା ସାମନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଗ୍ରାମବାସୀ ଏବଂ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
ଅଭିଯୋଗ ଆସିବା ପରେ ଏନେଇ ବିଭାଗୀୟ ଅଧିକାରୀ କ୍ୟାମେରା ଆଗରେ କିଛି କହିନଥିଲେ ବି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୫ବର୍ଷ ଅବଧି ଥିବାବେଳେ ରାସ୍ତା ଖରାପ ହୋଇଥିବାରୁ ସମ୍ପୃକ୍ତ ସଂସ୍ଥାକୁ ପୁନର୍ବାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି । ଏବେ ଠିକାଦାର ଓ ଅଧିକାରୀଙ୍କ ଭିତରେ ଥିବା ଅସାଧୁ ସମ୍ପର୍କ ନେଇ ଉଠୁଛି ପ୍ରଶ୍ନ ।