କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ପୋଷଣ ସହାୟକ ନିଯୁକ୍ତିରେ ଦୁର୍ନୀତି । ଆଦିମ ବଣ୍ଡା ଓ ଦିଦାୟୀ ଜନଜାତୀଙ୍କୁ କୁପୋଷଣ ମୁକ୍ତ କରିବା ଲାଗି ସରକାର ପୋଷଣ ସହାୟକ ନିଯୁକ୍ତି ଦେଇଛନ୍ତି । ଏହି ନିଯୁକ୍ତିରେ ବଣ୍ଡା ଓ ଦିଦାୟୀ ଯୁବକ ଯୁବତୀଙ୍କୁ ବାଦ ଦେବା ଲାଗି କୁଚକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଆଦିମ ଜନଜାତୀର ଶିକ୍ଷିତ ଯୁବକ ଯୁବତୀମାନେ ଉଭୟ ବଣ୍ଡା ଓ ଦିଦାୟୀ ଉନ୍ନୟନ କାର୍ଯ୍ୟାଳୟରେ ତାଲା ପକାଇ ପୁନଃ ନିଯୁକ୍ତି ଦାବି କରିଛନ୍ତି ।
ଏପରି ଏକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ । ମାଲକାନଗିରି ବଣ୍ଡା ଘାଟିରେ କୁପୋଷଣ ମାତ୍ରା ଅଧିକ ଥିବାରୁ ଘାଟିରେ ୫ଟି ପୁଷ୍ଟି ସାଧନ କେନ୍ଦ୍ର ଖୋଲି ୫ ଜଣ ପୋଷଣ ସହାୟକ ନିଯୁକ୍ତି ଦେବା ଲାଗି ରାଜ୍ୟ ଅନୁସୁଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଓପେଲିପ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏନେଇ ସ୍ଥାନୀୟ ବଣ୍ଡା ଉନ୍ନୟନ ସଂସ୍ଥା ନୋଟିସ ବୋର୍ଡ କି କୌଣସି ଖବର କାଗଜରେ ବିଜ୍ଞପ୍ତି ପ୍ରକାଶ ପାଇନଥିବା ଅଭିଯୋଗ କରିଛନ୍ତି ବଣ୍ଡା ଜନଜାତୀର ଲୋକେ । ବରଂ ବଣ୍ଡା ଶିକ୍ଷିତ ଯୁବକ ଯୁବତୀଙ୍କୁ ବାଦ ଦେଇ ଅଣ ବଣ୍ଡାଙ୍କୁ ନିଯୁକ୍ତି ଦେବା ଲାଗି ଚକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।
ସେହିପରି କୋରୁକୋଣ୍ଡା ବ୍ଲକର ବାୟାପଡା ଘାଟିରେ ବସବାସ କରୁଥିବା ଦିଦାୟୀ ସମ୍ପ୍ରଦାୟର ପିଲାଙ୍କୁ କୁପୋଷଣ ମୁକ୍ତ କରିବା ଲାଗି ୪ଟି ପୁଷ୍ଟି ସାଧାନ କେନ୍ଦ୍ର ଖୋଲିବ । ସେଠାରେ ୪ ଜଣ ପୋଷଣ ସହାୟକ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଠାରେ ମଧ୍ୟ ଯେଉଁ ଯୋଗ୍ୟତା ମଗାଯାଇଛି, ତାହା ଦିଦାୟୀ ସମ୍ପ୍ରଦାୟର ପିଲାଙ୍କୁ ସୁହାଉ ନଥିବାରୁ ସେମାନେ ଚାକିରିରୁ ବଂଚିତ ହେବେ । ତେଣୁ ଦିଦାୟୀ କାର୍ଯ୍ୟାଳୟ ଘେରି ଆଦିମ ଶ୍ରେଣୀର ଜନଜାତୀଙ୍କୁ ଅଗ୍ରାଧିକାର ଦେବାକୁ ଦାବି ହୋଇଛି । ଏନେଇ ଉପରିସ୍ତ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ବଣ୍ଡା ଉନ୍ନୟନ ସଂସ୍ଥାର ଅଧିକାରୀ କହିଛନ୍ତି ।
ମାଲକାନଗିରି ଖଇରପୁଟ ବ୍ଲକ ମୁଦୁଲିପଡା ଓ ଅଣ୍ଡ୍ରାହାଲ ପଂଚାୟତର ୩୨ଟି ଗାଁରେ ୭ହଜାର ବଣ୍ଡା ଓ କୋରୁକୋଣ୍ଡା ବ୍ଲକ ବାୟାପଡା ଘାଟିରେ ୧୫ ହଜାରରୁ ଅଧିକ ଦିଦାୟୀ ଶ୍ରେଣୀର ଲୋକେ ବସବାସ କରନ୍ତି । ଏମାନଙ୍କ ଲାଗି ସ୍ୱତନ୍ତ୍ର ଭାବେ ବିଡିଏ ଓ ଡିଡିଏ ନାମକ ୨ଟି ଏଜେନ୍ସି କାମ କରୁଛି । କିନ୍ତୁ ସେଭଳି କିଛି ଆଖି ଦୃଷ୍ଟିଆ ବିକାଶ ହୋଇନାହିଁ । ତେଣୁ ନିଯୁକ୍ତି କ୍ଷେତ୍ର ଏହି ଦୁଇଟି ସଂପ୍ରଦାୟର ଯୁବପୀଢିଙ୍କୁ ଅଗ୍ରାଧିକାର ଦେବା ଲାଗି ଦାବି ହୋଇଛି ।