ମନରେଗା ନାଁରେ ହରିଲୁଟ୍: ସୌନ୍ଦର୍ଯ୍ୟକରଣ ଓ ପୁନଃଉଦ୍ଧାର ନାଁରେ ହୋଇଛି ନିମ୍ନମାନର କାମ

82

କନକ ବ୍ୟୁରୋ: କାମ ନକରି ମନରେଗାରେ ଖାଇଦେଲେ ୨୨ଲକ୍ଷରୁ ଉର୍ଦ୍ଧ ଟଙ୍କା । ଗରିବ ଲୋକଙ୍କୁ ବର୍ଷକୁ ୧୦୦ଦିନର କାମ ଯୋଗାଇ ଦେବା ପାଇଁ ମନରେଗା ଏକ ମାଧ୍ୟମ ପାଲଟିଥିବା ବେଳେ କୋଭିଡ ସମୟରେ ଖଲ୍ଲିକୋଟ ବ୍ଲକରେ ଲୋକଙ୍କୁ କାମ ଯୋଗାଇବା ପରିବର୍ତେ ମନରେଗା ଯୋଜନା ସମ୍ପୁର୍ଣ୍ଣ ବାଟବଣା ହୋଇଛି । ଗୋଟିଏ ପଂଚାୟତରେ ମନରେଗାରେ ପ୍ରଥମେ ୬ଲକ୍ଷରୁ ଉର୍ଦ୍ଧ ଟଙ୍କାର ଦୁର୍ନିତି ହୋଇଥିବା ବେଳେ ପୁଣି ସେହି ପଂଚାୟତରେ ମନରେଗାରେ ୧୬ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଦୁର୍ନିତି ସମ୍ମାନାକୁ ଆସିଛି ।

ମନରେଗା ନାଁରେ ହରିଲୁଟ୍ । ଗଞ୍ଜାମ ଖଲ୍ଲିକୋଟ ବ୍ଲକ ବାଣିଆ ପଂଚାୟତରେ ମନରେଗା କାମରେ ଦୁର୍ନୀତି ଅଭିଯୋଗ ହୋଇଛି । ଡେରା ବନ୍ଧ ସୌନ୍ଦର୍ଯ୍ୟକରଣ ଓ ପୁଃନରଉଦ୍ଧାର ନାମରେ ୧୫ ଲକ୍ଷ ୬୧ ହଜାର ୮୨୦ ଟଙ୍କା ଦୁର୍ନିତି ହୋଇଥିବା ଅଭିଯୋଗ ହୋଇଛି । ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ଡେରା ବନ୍ଧ ପୁନରଉଦ୍ଧାର କରାଯାଇନଥିବା ବେଳେ ସୌନ୍ଦର୍ଯ୍ୟକରଣ କାମ ଅତି ନିମ୍ନ ମାନର ହୋଇଛି । ପାଚେରୀ ଫାଟି ଆଁ କରିଥିବା ବେଳେ ହାତ ଦଉ ଦଉ ସିମେଂଟ କଂକ୍ରିଟ ଖସି ଯାଉଛି । ତେବେ ବାରମ୍ବାର ସେହି ପଂଚାୟତ ରେ ଏହି ପ୍ରକାର ଦୁର୍ନିତି ହେଉଥିବା ବେଳେ ଅଭିଯୋଗ ପରେ ମଧ୍ୟ ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ ।

ଗତ ବର୍ଷ ବାଣିଆ ପଂଚାୟତର ବାଣିଆ ଗାଁରେ ମନରେଗାରେ କଣ୍ଡରା ବନ୍ଧ କାମ କରାଯାଇଥିବା ଦର୍ଶାଇ ୬ଲକ୍ଷ ୬୭ ହଜାର ୮୫୦ ଟଙ୍କା ଉଠାଯାଇଥିଲା । କିନ୍ତୁ କଣ୍ଡରା ବନ୍ଧରେ କୌଣସି କାମ ହୋଇନଥିଲା । ଏନେଇ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ତଦନ୍ତ ଜାରି ରଖିଛି । ପୁଣି ସେହି ପଂଚାୟତରେ ରାଜ ଘାଇ ନାଳ ପୁଃନଋଉଦ୍ଧାର ନାମରେ ୧ ଲକ୍ଷ ୨୪ ହଜାର ଟଙ୍କା ଉଠାଯାଇଥିବା ବେଳେ ଆଦୌ କାମ ଆରମ୍ଭ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଦୁୁର୍ନୀତି ହେବା ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କାହିଁକି ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ । କେବେ ଏହି ଦୁର୍ନିତିର ତଦନ୍ତ ହେଉଛି ଓ କେବେ ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା ।