ପଦାକୁ ଆସିଲା ରାଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗର ମହାଦୁର୍ନୀତି : ଖାଇଗଲେ ଅଢ଼େଇ କୋଟି ଟଙ୍କା; ପ୍ରକୃତ କାମ ହୋଇନି, ହେଲେ କାଗଜପତ୍ରରେ ହୋଇଛି ରାସ୍ତା କାମ 

197

କନକ ବ୍ୟୁରୋ : ଦୁର୍ନୀତିର ଗନ୍ତାଘର ପାଲଟିଛି କେନ୍ଦ୍ରାପଡା ରାଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ । ରାସ୍ତା ନିର୍ମାଣ ନାଁରେ ୨ କୋଟି ୩୧ ଲକ୍ଷ ୮୦ ହଜାର ୧୮୮ ଟଙ୍କାର ଦୁର୍ନୀତି ପଦାକୁ ଆସିଛି । ରାଜନଗର ବ୍ଲକ ବାଲିସାହିପାଟଣା ପଂଚାୟତ ଭେଡିସାହି ଗାଁ ଭିତରେ ଥିବା ରାସ୍ତାରେ ପିଚୁ ଉପରେ ପିଚୁ ପକାଇ ସେହି ରାସ୍ତାକୁ ଆଳି ବ୍ଲକର କେରେଡାଗଡ ଠାରୁ ଏକମାଣିଆ ଯାଏଁ ରାସ୍ତା ନିର୍ମାଣ କରାଯାଇଥିବା ଦର୍ଶାଇ ଫଳକ ଲଗାଯାଇଛି ।

ଏହି ରାସ୍ତା ଏକମାଣିଆ ନଦୀ ପାର ହେବା ପରେ ବ୍ରାହ୍ମଣୀ ନଦୀର ଦକ୍ଷିଣଡିଆ ଗାଁ ମୁଣ୍ଡରୁ ଶେଷ ଯାଏଁ ୩ କିମି ୩୫୦ମିଟର ରାସ୍ତା ନିର୍ମାଣ ହେବା କଥା । ମାତ୍ର ଦକ୍ଷିଣଡିଆ ଗାଁରେ ପିଚୁ ବି ପଡିନାହିଁ । ଗୋଟିଏ ବ୍ଲକର ରାସ୍ତାକୁ ଅନ୍ୟ ଏକ ବ୍ଲକରେ ନିର୍ମାଣ ହୋଇଥିବା ଦର୍ଶାଇ କୋଟି କୋଟି ଟଙ୍କା ହଡପ କରିନିଆଯାଇଛି । ଏହି ରାସ୍ତା ନିର୍ମାଣ ହୋଇଥିଲେ ୩ଟି ଗାଁର ପାଖାପାଖି ୫ହଜାର ଲୋକ ପାଣି କାଦୁଅରେ ଚାଲିନଥାନ୍ତେ । କିନ୍ତୁ ଠିକାଦାର, ନିର୍ବାହୀଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ମିଳିତ ଭାବେ ଅଢେଇ କୋଟି ଟଙ୍କା ହଡପ କରିନେଇଥିବା ଅଭିଯୋଗ ହୋଇଛି ।