କନକ ବ୍ୟୁରୋ: ସମ୍ବଲପୁର ସମଲେଇ ପ୍ରକଳ୍ପର ଉଦଘାଟନର ଦିନ କେଇଟା ପରେ କେଳେଙ୍କାରୀ ସାମ୍ନାକୁ ଆସିଛି । ରାସ୍ତା କାମରେ ଦୁର୍ନୀତିର ଗନ୍ଧ ବାରି ହୋଇଛି । ଭୁଲ୍ ଡିଜାଇନ ଯୋଗୁଁ ସମଲେଇ ପ୍ରକଳ୍ପ ରାସ୍ତାରେ ବାରମ୍ୱାର ଦୁର୍ଘଟଣା ଘଟୁଛି । ଠିକାଦାର ମନମୁଖୀ କାମ କରି ଛାଡିଦେଇଥିବା ଅଭିଯୋଗ ଆଣି ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Advertisment
  • ସମଲେଇ ମନ୍ଦିର ପ୍ରକଳ୍ପରେ କେଳେଙ୍କାରୀ!
  • ନିମ୍ନମାନର କାମକୁ ନେଇ ତେଜିଲା ଅସନ୍ତୋଷ

ପଶ୍ଚିମ ଓଡ଼ିଶାର ଆସ୍ଥା ଓ ବିଶ୍ୱାସର ଅଧିଷ୍ଠାତ୍ରୀ ମା ସମଲେଇ ମନ୍ଦିର ପ୍ରକଳ୍ପରେ ଦୁର୍ନୀତିର ଅଭିଯୋଗ। ଦୁଇ ଶହ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନର ମାସ କେଇଟା ପରେ ରାସ୍ତାର ଦୁରାବସ୍ଥା ଭୋଗିବାକୁ ପଡୁଛି। ରାସ୍ତାକୁ ଦେଖିଲେ ପ୍ରଶ୍ନ ଆସୁଛି, କିଏ ଏହାର ଡିଜାଇନିଂ କରିଛି, ଆଉ କାମ କରିଥିବା ଠିକାଦାର କିଏ ? ରାସ୍ତାରେ ପଥର ପଡ଼ିଛି କିନ୍ତୁ କମ ପେଷ୍ଟିଂ ଯୋଗୁଁ ପଥର ଖଣ୍ଡ ଉପରକୁ ବାହାରିପଡିଛି । ଫଳରେ ପ୍ରକଳ୍ପ ଅଞ୍ଚଳ ରାସ୍ତାରେ ଦୁର୍ଘଟଣା ଘଟୁଛି । ମାଙ୍କ ଦର୍ଶନ ପାଇଁ ଚାଲି ଚାଲି ଯାଉଥିବା ଶ୍ରଦ୍ଧାଳୁ ଓ ସ୍ଥାନୀୟ ବାସିନ୍ଦା ଝୁଣ୍ଟୁଛନ୍ତି । ସାଇକେଲରେ ସ୍କୁଲ ଯାଉଥିବା ପିଲା, ବାଇକରେ ଯାଉଥିବା ଲୋକ ପଡ଼ିଯାଉଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି ।

ସମଲେଇ ପ୍ରକଳ୍ପ ରାସ୍ତା ସ୍ଥାନୀୟ ବାସିନ୍ଦାଙ୍କ ଦୈନନ୍ଦିନ ବ୍ୟବହାରର ଲାଗୁଛି। କାମ କରିଥିବା ଠିକାଦାର ଅଧପନ୍ତରିଆ କାମ କରି ଛାଡିଦେଇଥିବା ଅଭିଯୋଗ ହୋଇଛି । କେବଳ ରାସ୍ତା ନୁହେଁ ପ୍ରକଳ୍ପ ସ୍ଥଳରେ ହୋଇଥିବା ଛୋଟଛୋଟ କଂକ୍ରିଟ୍ ବାଡ଼ ମଧ୍ୟ ଫାଟିଗଲାଣି । ତୁରନ୍ତ ସମଲେଇ ପ୍ରକଳ୍ପର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସମଲେଇ ପ୍ରକଳ୍ପକୁ ନେଇ ପୂର୍ବ ସରକାର ଅନେକ ସ୍ୱପ୍ନ ଦେଖାଇଥିଲେ । ପୀଠକୁ ଆସିଲେ ଶ୍ରଦ୍ଧାଳୁଙ୍କୁ ଅନନ୍ୟ ଓ ଦିବ୍ୟ ଅନୁଭୁତି ମିଳିବ ବୋଲି ଡିଣ୍ଡିମ ପିଟିଥିଲେ । କିନ୍ତୁ ସମଲେଇ ପ୍ରକଳ୍ପ ଅଧିନ ରାସ୍ତା ଏବେ ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଦୁର୍ଘଟଣାର କାରଣ ପାଲଟିଛି ।