ବାଟମାରଣା ହେଉଛି ଗରିବ ହିତାଧିକାରୀଙ୍କ ଟଙ୍କିକିଆ ଚାଉଳ । ରାସନକାର୍ଡରେ ରେକର୍ଡ ରହିଛି, ହେଲେ ମିଳୁନି ଚାଉଳ ।

392

କନକ ବ୍ୟୁରୋ : ସରକାର ଗରିବ ଅସହାୟ ବୃୃଦ୍ଧ, ବୃଦ୍ଧାଙ୍କ ପାଇଁ ଏକ ଟଙ୍କିଆ ଚାଉଳର ବ୍ୟବସ୍ଥା କରିଛନ୍ତି । ହେଲେ ତାହା ଗରିବ ଲୋକଙ୍କ ପାଖରେ ପହଞ୍ଚିପାରୁନି । ୬ମାସ ହେବ ହିତାଧିକାରୀଙ୍କୁ ମିଳିନି ଟଙ୍କିକିଆ ଚାଉଳ । ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ କେନ୍ଦୁପାଟି ଗାଁରୁ ।

ଟଙ୍କିକିଆ ଚାଉଳ ବଣ୍ଟନରେ ଅବ୍ୟବସ୍ଥା । କିଏ ନେଲା ଗରିବଙ୍କ ଚାଉଳ ? ହାତରେ ରାସନକାର୍ଡ ଧରି ଏହି ପ୍ରଶ୍ନ କରୁଛି ହିତାଧିକାରୀ । କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗାଁରେ ବସବାସ କରନ୍ତି ୧୫ଶହରୁ ଉଦ୍ଧ୍ୱର୍ ଲୋକ । ଗାଁରେ ରହିଛନ୍ତି ୫ଶହରୁ ଉଦ୍ଧ୍ୱର୍ ଅନ୍ତୋଦୟ ଓ ରାସନକାର୍ଡ ହିତାଧିକାରୀ । ତେବେ କିଛି ଗରିବ ହିତାଧିକାରୀଙ୍କ ରାସନକାର୍ଡରେ ଚାଉଳ ମିଳିଥିବା ଦର୍ଶାଯାଇଥିବାବେଳେ, ସେମାନଙ୍କୁ ୬ ମାସ ହେବ ଟଙ୍କିକିଆ ଚାଉଳ ମିଳିନଥିବା ଅଭିଯୋଗ ହୋଇଛି ।

ଗତ ସେପ୍ଟେମ୍ବର ମାସରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟା ଯାଇଥିଲା । ଆଉ ସେବେଠାରୁ ଚାଉଳ ବଣ୍ଟନ ବନ୍ଦ ରହିଛି । ବଣ୍ଟନ ଦାୟିତ୍ୱରେ ଥିବା ଗ୍ରାମରୋଜଗାର ସେବକ, ପଞ୍ଚାୟତ ନିର୍ବାହୀ ଅଧିକାରୀ କିମ୍ବା ସରପଞ୍ଚ, କାହାରିବି ଦେଖା ମିଳୁନାହିଁ । ସେପଟେ ଏବାବଦରେ ସରପଂଚ ଓ ବିଡିଓଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିବାବେଳେ, ସେମାନେ ନିଜ ପ୍ରତିକ୍ରିୟା ଦେବାକୁ ମନାକରି ଦେଇଥିଲେ ।

ଯେଉଁମାନଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି, ସେମାନେ କିନ୍ତୁ ଏହି ଯୋଜନା ଗୁଡିକର ସୁଫଳ ପାଉନାହାନ୍ତି । ଗରିବଙ୍କ ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରାଯାଉଥିବା ବେଳେ କିଛି ଅସାଧୁ କର୍ମଚାରୀଙ୍କ ଅବହେଳା ପାଇଁ ଏହି ସବୁ ଯୋଜନାରୁ ବଂଚିତ ହେଉଛନ୍ତି ହିତାଧିକାରୀ ।