ଅଧାରେ ପଡିଛି ଆଦିବାସୀଙ୍କ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ । ସରକାର ଦେଇଥିବା ଟଙ୍କାକୁ ନେଇ ଠକିଦେଇଛି ଦଲାଲ ।

88

କନକ ବ୍ୟୁରୋ : ଆଦିବାସୀ ଇଲାକାର ନୀରିହ ଆଦିବାସୀଙ୍କୁ ଠକୁଛନ୍ତି ଦଲାଲ । ଭୂମିହୀନ ଆଦିବାସୀ ସରକାରୀ ଯୋଜନା ପାଉଛନ୍ତି । ହେଲେ ସେମାନଙ୍କ ନୀରିହ ପଣର ସୁଯୋଗ ନେଇ ଦଲାଲମାନେ ଯୋଜନା ବାବଦକୁ ଆସୁଥିବା ଟଙ୍କା ସବୁ ହଡପ କରୁଛନ୍ତି । ଫଳରେ ସରକାରୀ ଯୋଜନା ପାଉଥିବା ହିତାଧିକାରୀ ଏବେ ବି ଅସୁବିଧାରେ ଦିନ କାଟୁଛନ୍ତି । କେନ୍ଦୁଝରରେ ଚାଲିଛି ଏପରି ଦଲାଲ ରାଜ ।

ଅଧାରେ ପଡିଛି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ । ଦଲାଲ ମାଲାମାଲ, ହିତାଧିକାରୀ ବେହାଲ । ବାସହୀନ ଲୋକଙ୍କୁ ପକା ଘରେ ରଖିବା ପାଇଁ ସରକାର କରିଥିବା ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର ଯୋଜନା ଅର୍ଥକୁ ହଡପ କରୁଛନ୍ତି ଦଲାଲ । ଏପରି ଏକ ଅଭିଯୋଗ ଆସିଛି କେନ୍ଦୁଝର ସଦର ବ୍ଲକ ରଘୁନାଥପୁର ଗାଁ ମୁଣ୍ଡା ସାହିରୁ । ଚାଳ ଛପର ଘରେ ୨୦ରୁ ଅଧିକ ମୁଣ୍ଡା ପରିବାର ରୁହନ୍ତି । ଏମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଛି । ହେଲେ ସମସ୍ତଙ୍କ ଘର ଅଧା ଗଢା ହୋଇରହିଛି । କାରଣ ଘର କରାଇ ଦେବାକୁ କହି ଏମାନଙ୍କ ଠାରୁ ଟଙ୍କା ନେଉଥିବା ଦଲାଲ ଅଧାରେ କାମ ଛାଡି ଚାଲିଯାଇଛି ।

ମୁଣ୍ଡା ସାହି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥିଲା । ବ୍ୟାଙ୍କ ଖାତାକୁ ଟଙ୍କା ଆସିବା ପରେ ଘରେ ପହଞ୍ଚି ଯାଆନ୍ତି ଦଲାଲ । ଆଉ ନିଜକୁ ପଞ୍ଚାୟତ ଅଫିସରୁ ଆସିଛୁ, ତୁମ ଘର ତିଆରି କରିଦେବୁ କହି ହିତାଧିକାରୀଙ୍କ ଠାରୁ ଟଙ୍କା ନେଇ ଯାଆନ୍ତି । ଆଉ ଏବେ ଘର କାମ ଅଧାରେ ପଡିଥିବା ବେଳେ ଦଲାଲ କହୁଛି ଟଙ୍କା ସରିଗଲା । ସେପଟେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ କହିଛନ୍ତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏବେ ପଶ୍ନ ଉଠୁଛି ହିତାଧିକାରୀଙ୍କ ଟଙ୍କା ସରିଲା କେମିତି  ? ବିଲ୍ ପୂର୍ବରୁ କନିଷ୍ଠଯନ୍ତ୍ରୀ କାର୍ଯ୍ୟର ତଦାରଖ କରୁନାହାନ୍ତି କି ? ନା ଦଲାଲଙ୍କ ହାତ ଗୁଞ୍ଜାରେ ଶୀତତାପ ନିୟନ୍ତ୍ରଣ କକ୍ଷରେ ବସି ବିଲ୍ କରିଥାନ୍ତି ? ମୁଣ୍ଡା ସାହି ପରି ସମଗ୍ର ଜିଲ୍ଲାରେ ଲକ୍ଷାଧିକ ଘର ଏମିତି ଅଧପନ୍ତରିଆ ହୋଇ ପଡିରହିଛି ।