କନକ ବ୍ୟୁରୋ : ଖାତାକୁ ଉଠିଛି ୧୭୦୦ ଗଛ, ଆଉ ଏହି ଗଛ ପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୪ ଲକ୍ଷରୁ ଅଧିକ ଟଙ୍କା । ଏତେ ଟଙ୍କା ଖର୍ଚ୍ଚ ପରେ ବି ପଡିଆ ପଡିଛି ନଣ୍ଡା । କାରଣ ପଡିଆରେ ବଞ୍ଚିଛି ମାତ୍ର ୩୬ ଗଛ । ନା ଏଠାରେ ବନ୍ୟା ହୁଏ, ନା ଗଛକୁ ଗାଈ ଖାଇଛି । କିନ୍ତୁ ୩ ବର୍ଷ ମଧ୍ୟରେ ଉଭାନ ହୋଇଯାଇଛି ୧୬୬୪ ଗଛ । ୩ ବର୍ଷ ମଧ୍ୟରେ ଗଛ ଏତେ ବଡ ବି ହୋଇନି ଯେ, କେହି ଏହାକୁ କାଟି ନେଇ କୌଣସି କାମରେ ଲଗାଇବ । ତେଣୁ ପ୍ରଶ୍ନ ଉଠୁଛି ଏ ଗଛ ଗଲା କୁଆଡେ? ଯାହାର ଉତ୍ତର ହେଉଛି ଦୁର୍ନୀତି । ଯେଉଁ ଦୁର୍ନୀତିର ଖବର ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତରୁ ଆସିଛି ।
ପୂର୍ବରୁ ସେହି ସମାନ କୋଇଲିପୁର ପଞ୍ଚାୟତରୁ ସରକାରୀ କ୍ୱାର୍ଟର ନକରି ଅର୍ଥ ହରିଲୁଟ୍ ଭଳି କେଳେଙ୍କାରୀ ଘଟଣା ସାମ୍ନାକୁ ଆସିଥିଲା । ଏବେ ବୃକ୍ଷରୋପଣ ନାଁରେ ହୋଇଥିବା ଦୁର୍ନୀତି ସମସ୍ତଙ୍କୁ ଚମକାଇ ଦେଇଛି । ସୂଚନା ମୁତାବକ, ଏହି ପଞ୍ଚାୟତର ଇଶାଣିପଲ୍ଲାର ରାଧାକୃଷ୍ଣ ମନ୍ଦିର ଓ ଶନି ମନ୍ଦିର ପାଖକୁ ଲାଗିଥିବା ଖେଳପଡିଆର ଚତୁଃପାଶ୍ୱର୍ରେ ୨୦୨୦-୨୧ରେ ବୃକ୍ଷରୋପଣ ହୋଇଥିବା ନେଇ ବିଲ୍ ହୋଇଥିଲା । ମନରେଗା ଯୋଜନାରେ ୨୦୨୦ ସେପ୍ଟେମ୍ବରରେ ଏହି ସ୍ଥାନରେ ବୃକ୍ଷରୋପଣ ହୋଇଥିବା ନେଇ ସରକାରୀ ଦସ୍ତାବିଜରେ ଉଲ୍ଲେଖ ରହିଛି । ସରକାରୀ ରିପୋର୍ଟ ଅନୁଯାୟୀ ବୃକ୍ଷରୋପଣ ବାବଦକୁ ସାଢେ ୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଯେଉଁଥିରେ,
- ୧୭୦୦ ଗଛ ଚାରା ପାଇଁ ୨୧ ହଜାର ୧୩୧ ଟଙ୍କା
- ବାଉଁଶ ବାଡ ବାବଦକୁ ୧ ଲକ୍ଷ ୧୬ ହଜାର ୭୫୬ ଟଙ୍କା
- ଗୋବର ବାବଦକୁ ୬୭ ହଜାର ୬୮୯ ଟଙ୍କା
- ସୂଚନା ଫଳକ ବାବଦକୁ ୪ ହଜାର ଟଙ୍କା
- ୯୪୦ ଶ୍ରମିକଙ୍କ ପାରିଶ୍ରମିକ ବାବଦକୁ ୨ ଲକ୍ଷ ୨୨୬୬ ଟଙ୍କା ଉଲ୍ଲେଖ ରହିଛି ।
ଏମିତି ଭାବେ ମୋଟ ୧୭୦୦ ଗଛ ପାଇଁ ୪ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନିଆଯାଇଛି । କିନ୍ତୁ ଯେଉଁ ଖେଳପଡିଆର ଚତୁଃପାଶ୍ୱର୍ରେ ବୃକ୍ଷରୋପଣ ନାଁରେ ଲକ୍ଷାଧିକ ଟଙ୍କା ଉଠାଯାଇଛି, ସେହି ଖେଳ ପଡିଆ ଏବେ ନଣ୍ଡା ଭୁଇଁ ଭାବେ ପଡିଛି । ସରକାରୀ ବ୍ୟବସ୍ଥାରେ ବୃକ୍ଷରୋପଣ ସମୟରେ ଓ ଏହାପରେ ଜିଆରଏସଙ୍କ ଠାରୁ ପିଇଓ, ସରପଞ୍ଚ, କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଆବଶ୍ୟକସ୍ଥଳେ ବିଡ଼ିଓ ଘଟଣାସ୍ଥଳ ଦେଖିବା ପରେ ହିଁ ଖର୍ଚ୍ଚ ଟଙ୍କା ରିଲିଜ କରାଯାଇଥାଏ । କିନ୍ତୁ ଏଠାରେ ୧୭୦୦ ବଦଳରେ ୩୬ ଗଛ ଥିବା ବେଳେ କେମିତି ବିଲ୍ ରିଲିଜ କରାଗଲା ତାହାକୁ ନେଇ ସ୍ଥାନୀୟ ବାସିନ୍ଦା ସରକାରୀ ବାବୁ ଓ ନେତାଙ୍କ ଉପରକୁ ଆଙ୍ଗୁଳି ଉଠାଇଛନ୍ତି ।
ବୃକ୍ଷରୋପଣ ନାଁରେ ହୋଇଥିବା ଏହି ଦୁର୍ନୀତିକୁ ଲୁଚାଇବାକୁ ସୂଚନା ଫଳକରେ କାର୍ଯ୍ୟ ସମ୍ବନ୍ଧୀୟ କୌଣସି ତଥ୍ୟ ଉଲ୍ଲେଖ କରାଯାଇନାହିଁ । ଯାହା ଏହି ଦୁର୍ନୀତି ଅଭିଯୋଗକୁ ଆହୁରି ସ୍ପଷ୍ଟ କରିଛି । ଲଗାତାର କୋଇଲିପୁର ପଞ୍ଚାୟତରେ ଦୁର୍ନୀତିର ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । କାହା ଚାପରେ ଦୁର୍ନୀତିରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୋଧରେ ଉପରିସ୍ଥ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ ।
Follow Us