ଓଏସ୍ଏସସିରେ ଚାକିରି ଦୁର୍ନୀତି ଅଭିଯୋଗ ଘଟଣା : ପ୍ରମାଣ ସତ୍ତ୍ୱେ ବି କାହିଁକି ଆଗକୁ ବଢୁନି ତଦନ୍ତ ?

98

କନକ ବ୍ୟୁରୋ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ଗିରଫ ହେବା ଘଟଣାକୁ ୩୮ ଦିନ ବିତିଗଲାଣି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ଭିଜିଲାନ୍‌ସ ତାଙ୍କୁ ଗିରଫ କରିଥିଲେ ବି ସେ ଓଏସ୍‌ଏସ୍‌ସିର ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାରେ ମହାଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ଚଢ଼ଉ ସମୟରେ ତାଙ୍କ ପାଖରୁ ଓ ତାଙ୍କ ସମ୍ପର୍କୀୟମାନଙ୍କ ପାଖରୁ ପାଖାପାଖି ୨୫ ଲକ୍ଷ ଟଙ୍କା ଓ ୩ କୋଟିର ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଥିଲା । ବଡ଼ କଥା ଥିଲା ତାଙ୍କ ପାଖରୁ ବିଭିନ୍ନ ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କ ପୁଳାପୁଳା ଆଡ୍‌ମିଟ୍‌ କାର୍ଡ ମିଳିଥିଲା । ତେଣୁ ନିଯୁକ୍ତି ପ୍ରକ୍ରିୟାରେ ତାଙ୍କୁ ମାଧ୍ୟମ କରି ମହାଦୁର୍ନୀତି ଚାଲିଥିବା ସନ୍ଦେହ କରାଯାଇଥିଲା। ମାତ୍ର ୩୮ ଦିନ ପରେ ଭିଜିଲାନ୍‌ସ ତଦନ୍ତ ସେ ଦିଗରେ ପାଦେ ବି ଆଗକୁ ଯାଇପାରିନାହିଁ । ତେଣୁ ଏହାକୁ ନେଇ ବିଭିନ୍ନ ମହଲରୁ ଭିଜିଲାନ୍‌ସ ବିଭାଗର ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାହା ଚାପରେ ଭିଜିଲାନ୍‌ସ ଏହି ତଦନ୍ତକୁ ଅଧା ବାଟରେ ରଖି ଚୁପ୍ ବସିଛି ବୋଲି ଅଭିଯୋଗ ହେଉଛି ।

ବିରଞ୍ଚିଙ୍କ ଘରେ ଚଢ଼ଉ ବେଳେ ଓଏସ୍‌ଏସ୍‌ସିରେ ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ିଥିଲା। ତାଙ୍କ ଘରୁ ବିଭିନ୍ନ ପରୀକ୍ଷାର ଆଡ୍‌ମିଟ୍‌ କାର୍ଡ ମିଳିଥିଲା। ୭ଜଣ ଆଶାୟୀଙ୍କର ଆଡ୍‌ମିଟ୍‌ କାର୍ଡ ଜବତ କରାଯାଇଥିଲା। ସେତେବେଳେ ଖୋଦ୍ ଭିଜିଲାନ୍‌ସ ଏସ୍‌ପି କହିଥିଲେ ଯେ ଚାକିରି କ୍ଷେତ୍ରରେ ଦୁର୍ନୀତି ଅଭିଯୋଗ ଆସିଲେ, ତଦନ୍ତ କରାଯିବ। ବିରଞ୍ଚି ଗିରଫ ହେବା ପରେ ମାଳମାଳ ଅଭିଯୋଗ ଆସିଥିଲା। ନିଯୁକ୍ତି ପରୀକ୍ଷାରେ ଅଧିକ ମାର୍କ ଥାଇ ମଧ୍ୟ ଚାକିରିରୁ ବାଦ୍ ପଡ଼ିଥିବା ନେଇ ଭିଜିଲାନ୍‌ସ ନିକଟରେ ଅଭିଯୋଗ ପହଞ୍ଚିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବହୁ ନବ ନିଯୁକ୍ତ ସରକାରୀ କର୍ମଚାରୀମାନେ ତାଙ୍କ ପତ୍ନୀଙ୍କ ପାଖରେ ବୀମା କରାଇଥିବା ପ୍ରମାଣ ମିଳିଥିଲା। ଏତେ ସବୁ ପ୍ରମାଣ ପରେ ଆଜି ଭିଜିଲାନ୍‌ସ ବିଭାଗ ବିରଞ୍ଚି ମାମଲାକୁ ଚାପି ବସିଥିବା ଚର୍ଚ୍ଚା ହେଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତଦନ୍ତ ଅଟକି ରହିଛି ।

ନିଯୁକ୍ତି ପ୍ରସଙ୍ଗକୁ ନେଇ ତଦନ୍ତ କରିବା ନାଁ ଧରୁନାହିଁ ଭିଜିଲାନ୍‌ସ ବିଭାଗ। ତଦନ୍ତରେ ଭିଜିଲାନ୍‌ସର ଶିଥିଳତାକୁ ନେଇ ସାରା ରାଜ୍ୟରେ ପରୀକ୍ଷାର୍ଥୀ ଓ ଚାକିରି ଆଶାୟୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି। ବିରୋଧୀ ଦଳମାନେ ବିଧାନସଭାରେ ମଧ୍ୟ ତୁମ୍ବିତୋଫାନ କଲେଣି। କିନ୍ତୁ ସରକାର ଓ ଭିଜିଲାନ୍‌ସ ବିଭାଗ ନିଦାବିଷ୍ଣୁ ସାଜିଛନ୍ତି ବୋଲି ଅଭିଯୋଗ ହେଉଛି । ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି, ଭିଜିଲାନ୍ସ କେବଳ ବିରଞ୍ଚିଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଛି। ତାଙ୍କ ଘରୁ ଆଡମିଟ୍ କାର୍ଡ ମିଳିବା ନିହାତି ଭାବେ ଧର୍ତ୍ତବ୍ୟ ଅପରାଧ। ତାଙ୍କ ବିରୋଧରେ ଚାକିରି ଦୁର୍ନୀତି ନେଇ ଅଭିଯୋଗ ମଧ୍ୟ ଆସିଛି। ତେଣୁ ଭିଜିଲାନ୍ସ ପକ୍ଷରୁ ଠକେଇ ଓ ଅପରାଧିକ ମାମଲା ରୁଜୁ ହେବା କଥା। କିନ୍ତୁ ପରିତାପର କଥା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା କରି ଭିଜିଲାନ୍ସ ଆଉ ଆଗକୁ ଯାଇପାରୁନାହିଁ। ତେଣୁ ଭିଜିଲାନ୍ସର ଭୂମିକା ସନ୍ଦେହ ପରିସରକୁ ଟାଣି ହୋଇଯାଇଛି। ଯଦି ଚାକିରି ଦୁର୍ନୀତି ଅଭିଯୋଗ ମାମଲାରେ ଭିଜିଲାନ୍‌ସ ବିଭାଗ ତଦନ୍ତ କରିବାକୁ ବିଫଳ ହେଉଛି, ତେବେ ରାଜ୍ୟ ସରକାର ଅନ୍ୟ ତଦନ୍ତକାରୀ ସଂସ୍ଥା ଦ୍ବାରା ତଦନ୍ତ କରାଇବାର ଆବଶ୍ୟକତା ରହିଛି ।

ବଡ଼ ପ୍ରଶ୍ନ ହେଉଛି ଯେଉଁ ୭ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଜବତ ହେଲା, ଏଯାଁଏ ତା’ର ପର୍ଦ୍ଦାଫାସ୍ କରିପାରୁନି ତଦନ୍ତକାରୀ ଦଳ। ଶାଗମାଛ ଦରରେ ପରୀକ୍ଷାର୍ଥୀଙ୍କ ଠାରୁ ବହୁ ଜମି କିଣିଥିବା ସନ୍ଦେହ କରାଯାଉଥିବା ବେଳେ ଏହାର ତଦନ୍ତ କାହିଁକି କରାଯାଉନାହିଁ। ପତ୍ନୀଙ୍କ ନିକଟରେ ଯେଉଁ କର୍ମଚାରୀମାନଙ୍କର ବୀମା ପଲିସି ହୋଇଥିଲା, ସେମାନେ କିଭଳି ଚାକିରି ପାଇଥିଲେ, ତାହାର ତଦନ୍ତ ହେଉନାହିଁ କାହିଁକି? ରାଜ୍ୟ ଫୋରେନ୍‌ସିକ୍ ଲାବରେଟୋରିକୁ ଯାଇଥିବା ବିରଞ୍ଚିଙ୍କ ମୋବାଇଲ ଫୋନ୍‌ ଓ ଲାପ୍‌ଟପ୍ ତଥ୍ୟ କାହିଁକି ଲୁଚାଯାଉଛି ? ସୂଚନାଯୋଗ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତ ଜୁଲାଇ ୩୦ ତାରିଖରେ ବିରଞ୍ଚିଙ୍କୁ ଗିରଫ କରିଥିଲା ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍। ତାଙ୍କ ଘରୁ ନଗଦ ୧୨ ଲକ୍ଷ ଓ ସଢ଼ୁଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ସହ ୩ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ ହୋଇଥିଲା। ବିପୁଳ ପରିମାଣର ଆଡମିଟ୍ କାର୍ଡ, ପତ୍ନୀଙ୍କଠାରୁ ୯ ଶହ ବୀମା ପଲିସି ଜବତ କରିଥିଲା। ସେଥିରେ ବହୁ ସରକାରୀ କର୍ମଚାରୀ ଚାକିରିଆ ଓ ପରୀକ୍ଷାର୍ଥୀ ଥିବା ଜଣାପଡ଼ିଥିଲା।