କନକ ବ୍ୟୁରୋ: ମନେରଗାରେ ବଡ଼ ଦୁର୍ନୀତି । ଟାଙ୍ଗରା ଭୁଇଁରେ ଫଳକ ଲଗାଇ ଲୁଟିନେଲେ ୧୪ ଲକ୍ଷ ଟଙ୍କା, ଜଳକା ହେଲେ ଗ୍ରାମାବସୀ । ଏଭଳି ଘଟଣା କୋରାପୁଟ ବୈପାରିଗୁଡ଼ା ବ୍ଳକ ଗୁପ୍ତେଶ୍ୱର ଅଞ୍ଚଳରୁ ସାମ୍ନାକୁ ଆସିଛି । ୪ଟି ପ୍ରକଳ୍ପ କାମରେ ଲକ୍ଷାଧିକ ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ଗୁପ୍ତେଶ୍ୱର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ।
ଗୁପ୍ତେଶ୍ୱର ଶୈବ ପୀଠରେ ମଡେଲ ଟ୍ୟାଙ୍କ ନିର୍ମାଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୯ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । କୌଣସି କାମ ନ ହୋଇ ୬ ଲକ୍ଷ ୨୭ ହଜାର ୮୩୧ ଟଙ୍କାର ବିଲ କରାଯାଇ ଆତ୍ମସାତ ହୋଇଥିବା ଜଣାପଡ଼ିଛି । ସେହିପରି ଗୋୟଲକୁଣ୍ଡ ଗ୍ରାମରେ ୮ ଲକ୍ଷ ଟଙ୍କାରେ ଏକ ଖେଳ ପଡ଼ିଆ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି, କିନ୍ତୁ କାମ ନ ହୋଇ ୩ ଲକ୍ଷ ୪୧ ହଜାର ୮୯୦ ଟଙ୍କା ହଡ଼ପ କରାଯାଇଛି । ଆଉ ଏକ ଗ୍ରାମ ମଝାଗୁଡ଼ାରେ ଖେଳ ପଡ଼ିଆ ନିର୍ମାଣ ନିମନ୍ତେ ୫ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ବେଳେ ୨ ଲକ୍ଷ ୧୮ ହଜାର ୭୬୪ ଟଙ୍କା ନକଲି ବିଲ କରି ହଡ଼ପ କରାଯାଇଛି । ଏତିକିରେ ଅଟକି ଯାଇନି ଲୁଟର କାରନାମା । ଏହି ପଞ୍ଚାୟତର ମୁର୍ଜାଗୁଡ଼ା ଗ୍ରାମରେ ପୋଖରୀ ଖନନ ପାଇଁ ୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ପୋଖରୀ ଖନନ ନକରି ୨ ଲକ୍ଷ ୨୯ ହଜାର ୯୯୨ ଟଙ୍କା ଆତ୍ମସାତ ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ବିଡ଼ିଓଙ୍କ ବିନା ଦସ୍ତଖତରେ କିପରି ହେଲା ଲକ୍ଷ ଲକ୍ଷ ଟଙ୍କା ଉଠାଣ । ଏହର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇ ଦାବି ହୋଇଛି ।
Follow Us