କନକ ବ୍ୟୁରୋ : ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ମଧ୍ୟାହ୍ନ ଭୋଜନ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଦ୍ୟାଳୟକୁ ଚାଉଳ ଯୋଗାଇ ଦିଆଯାଉଛି । ହେଲେ ଏହି ଚାଉଳ ବାଟମାରଣା ହେଉଥିବା ଅଭିଯୋଗ ଆସିଛି । ଚାଉଳ ପରିମାଣ ଚିଠାରେ ଅଧିକ ଥିବା ବେଳେ ବସ୍ତାରେ ଓଜନରେ କମ୍ ରହୁଛି । ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ଆସିଛି ଏମିତି ଅଭିଯୋଗ ।
ମଧ୍ୟାହ୍ନ ଭୋଜନ ଚାଉଳ ଯାଉଛି କୁଆଡେ ? ଚିଠାରେ ୫୦ କିଲୋ, ବସ୍ତାରେ ୪୩ରୁ ୪୬ କିଲୋ ! ଉଦଳା ବ୍ଲକ କାର୍ଯ୍ୟାଳୟ ପରିସର ଚାଉଳ ଗୋଦାମ ଗୃହ ନିକଟରେ ଠିଆ ହୋଇଛି ଚାଉଳ ବସ୍ତା ବୋଝେଇ ଟ୍ରକ । ଏହି ଟ୍ରକରୁ ଚାଉଳ ବସ୍ତା ଅନଲୋଡ୍ ବେଳେ ସାମ୍ନାକୁ ଆସିଛି ମଧ୍ୟାହ୍ନ ଭୋଜନ ଚାଉଳ ହଡପ ଘଟଣା । ୩୫୦ ବସ୍ତା ଚାଉଳ ଉଦଳା ବ୍ଲକ ଗୋଧିମରା ଚାଉଳ ଗୋଦାମରୁ ଆସିଥିବା ବେଳେ ପ୍ରତି ବସ୍ତାରେ ୫୦ କିଲୋ ଓଜନର ଚାଉଳ ରହିବା ଚିଠାରେ ଉଲ୍ଲେଖ ରହିଛି । ହେଲେ ଚାଉଳ ବସ୍ତା ଓଜନ ବେଳେ ଜଣାପଡିଛି, ବସ୍ତାରେ ୪୩ ରୁ ୪୬ କିଲୋ ଓଜନର ଚାଉଳ ରହିଛି ।
ସବୁ ବସ୍ତାରେ ୬ରୁ ୪ କିଲୋ ଓଜନର ଚାଉଳ କମ୍ ରହିଛି । ଏହାକୁ ହିସାବ କଲେ ୩୫୦ ବସ୍ତାରୁ ପ୍ରାୟ ୪ ଶହ କିଲୋଗ୍ରାମ ଅର୍ଥାତ୍ ୪ କ୍ୱିଂଟାଲ ଚାଉଳ ଚୋରି ହୋଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଚାଉଳ କିଏ ନେଲା ? ୫୦ କିଲୋଗ୍ରାମ ଲେଖା ହୋଇଥିବା ବସ୍ତାରେ ଚାଉଳ ପରିମାଣ କମିଲା କେମିତି ? ଏମିତି ପ୍ରଶ୍ନ ଉଦଳା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ସେ ବସ୍ତା ଗଣି ଚାଉଳ ରଖନ୍ତି, ଓଜନ ବାବଦରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ ।
ଉଦଳା ବ୍ଲକ ପରିସର ଗୋଦାମ ଗୃହରେ ଚାଉଳ ଗଚ୍ଛିତ ରଖିବା ସ୍ଥାନୀୟ ବ୍ଲକ ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ ବିଦ୍ୟାଳୟକୁ ପଠାଯାଏ । ତେବେ ବିନା ଓଜନ ବିଲରେ ବିଇଓ କେମିତି ବସ୍ତା ଗଣି ଚାଉଳ ରଖନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିବା ସହ ଆଗରୁ ମଧ୍ୟ ଏଭଳି ଚାଉଳ ହଡପ ଚାଲିଥିବା ଅଭିଯୋଗ କରିଛନ୍ତି ।