କନକ ବ୍ୟୁରୋ: ଲକ୍ଷ୍ମୀ ବସକୁ ନେଇ ଥମୁନି ବିବାଦ । ଗାଁରୁ ସହରକୁ ଯୋଡିବା ପାଇଁ ବିଗତ ସରକାର ଲକ୍ଷ୍ମୀ ବସ ସେବା ଆରମ୍ଭ କରିଥିଲେ। ଏହି ସେବାକୁ ନେଇ ବିବାଦ ଦେଖା ଦେଉଥିବା ବେଳେ ବର୍ତ୍ତମାନ ଲକ୍ଷ୍ମୀ ବସ ପ୍ରତୀକ୍ଷାଳୟ ନିର୍ମାଣର ଅନୁଦାନ ରାଶିକୁ ନେଇ ସନ୍ଦେହ ଉପୁଜିଛି ।
ଲକ୍ଷ୍ମୀ ବସ ପାଇଁ ନବରଙ୍ଗପୁରରେ ତିଆରି ହୋଇଛି ପ୍ରତୀକ୍ଷାଳୟ। ଗୋଟିଏ ଯାତ୍ରୀ ବିଶ୍ରାମାଗାର ପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହୋଇଛି ୫ ଲକ୍ଷ ଟଙ୍କା। ୪ଟି ଖୁଣ୍ଟ, ଗୋଟିଏ କାନ୍ଥ ଓ ଛାତ ଅଛି, ଚଟାଣରେ ଟାଇଲସ ସହ ଷ୍ଟିଲ ରେଲିଂ ଓ ବେଞ୍ଚ କରାଯାଇଛି। ଏତିକି ପାଇଁ ୫ ଲକ୍ଷ ୧୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ସ୍ତରରେ ଜଣାପଡ଼ିବା ପରେ ସନ୍ଦେହ ସୃଷ୍ଟି ହୋଇଛି।
ପ୍ରଧାନମନ୍ତ୍ରୀ ଆବାସରେ ୨୫୦ ବର୍ଗ ଫୁଟ ଘର ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ଦିଆଯାଉଛି । କିନ୍ତୁ ୧୫୪ ବର୍ଗ ଫୁଟ ଲକ୍ଷ୍ମୀ ବସ ପ୍ରତୀକ୍ଷାଳୟ ପାଇଁ ଦିଆଯାଇଛି ୫ ଲକ୍ଷ ୧୮ ହଜାର ଟଙ୍କା। ଆବାସ ବର୍ଗଫୁଟ ପିଛା ୫୨୦ ଟଙ୍କା ଖର୍ଚ୍ଚ ହେଉଛି । ସେତିକି ବେଳେ ଲକ୍ଷ୍ମୀ ବସ ପ୍ରତୀକ୍ଷାଳୟ ବର୍ଗଫୁଟ ପିଛା ୩୩୬୩ ଟଙ୍କା କେମିତି ଖର୍ଚ୍ଚ ହେଲା ? ବୋଲି ପ୍ରଶ୍ନ ଉଠିଛି ।