କନକ ବ୍ୟୁରୋ: ଲୋକଙ୍କ ଗାଁ ରାସ୍ତାରେ ଗଡୁଛି ଲକ୍ଷ୍ମୀ ବସ। ଗ୍ରାମାଞ୍ଚଳର ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିଜେଡି ସରକାର ଆରମ୍ଭ କରିଥିଲେ ଏହି ଲକ୍ଷ୍ମୀ ବସ ସେବା। କିନ୍ତୁ ଆରମ୍ଭରୁ ହିଁ ଏହି ସେବାକୁ ନେଇ ଉଠିଥିଲା ବିବାଦ। ପ୍ରଥମେ ଘରୋଇ ବସ ସଂଘ ଏହାକୁ ବିରୋଧ କରିଥିବାବେଳେ ପରବର୍ତ୍ତୀ ସମୟରେ ଲକ୍ଷ୍ମୀ ବସ କିଣାକୁ ନେଇ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଆସୁଛି। ତେବେ ଲକ୍ଷ୍ମୀ ବସ କେଉଁ ସଂସ୍ଥା କିଣିଛି ? କେତେ ଟଙ୍କାରେ କିଣିଛି ? ଏଥିପାଇଁ ସରକାର ଟେଣ୍ଡର କରିଥିଲେ କି ? ଏଭଳି ଅନେକ ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ। ସୂଚନା ଅଧିକାର ଆଇନ ଜରିଆରେ ପରିବହନ ବିଭାଗକୁ ସୂଚନା ମଗାଯାଇଥିଲେ ବି ମିଳୁନି ଉତ୍ତର। ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ପରିଵହନ ବିଭାଗ ଓ ଓଏସଆରଟିସିକୁ ଲକ୍ଷ୍ମୀ ବସ ସମ୍ପର୍କରେ ବାରମ୍ବାର ତଥ୍ୟ ମାଗିଥିଲେ ବି ମିଳୁନି ସ୍ପଷ୍ଟ ଉତ୍ତର। ପରିଵହନ ବିଭାଗ ଓ ଓଏସଆରଟିସି ତଥ୍ୟ ଦେଉନଥିବାରୁ ଏହି ଯୋଜନା ପଛରେ ଅନେକ ସରକାରୀ ବାବୁଙ୍କର ହାତ ଥିବା ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ। ତଥ୍ୟ ମିଳୁନଥିବାରୁ ଓଏସଆରଟିସି କାର୍ଯ୍ୟାଳୟ ବାହାରେ ଓଡିଶା ସୂଚନା ଅଧିକାର ଅଭିଯାନ ଧାରଣା ଦେଇଛି।

Advertisment