ବିନା ଲାଞ୍ଚରେ କିଛି ହେଉନି । କାମ କରିବାକୁ ଲାଞ୍ଚ ଦେଉଛି ଅଧା ଭାରତ । ଦୁର୍ନୀତି ସର୍ଭେ ରିପୋର୍ଟ ସାଙ୍ଘାତିକ ସତ । ସ୍ୱୀକାର କଲେ ୫୧ ପ୍ରତିଶତ ଭାରତୀୟ

437

କନକ ବ୍ୟୁରୋ: ଦେଶରେ କମୁଛି ଲାଞ୍ଚ କାରବାର । ଗତବର୍ଷ ତୁଳନାରେ ଏହା ୧୦ ପ୍ରତିଶତ କମିଥିବା ରିପୋର୍ଟ ଦେଇଛି ଟ୍ରାନସପରେନସୀ ଇଂଟରନ୍ୟାସନାଲ ଇଣ୍ଡିଆ । ୨୦ ରାଜ୍ୟରେ ୨୪୮ ଜିଲ୍ଲାରେ ୧ ଲକ୍ଷ ୯୦ ହଜାର ଲୋକଙ୍କ ମଧ୍ୟରେ କରାଯାଇଥିବା ସର୍ଭେ ଆଧାରରେ ଇଣ୍ଡିଆ କରପସନ ସର୍ଭେ ରିପୋର୍ଟ ୨୦୧୯ ସାମ୍ନାକୁ ଆସିଛି ।

ତେବେ ଏଥିରେ ଏକ ଚିନ୍ତାଜନକ ଦିଗକୁ ମଧ୍ୟ ସାମ୍ନାକୁ ଅଣାଯାଇଛି । ଗତ ବର୍ଷକ ଭିତରେ ଦେଶର ୫୧ ପ୍ରତିଶତ ଜନତା ଲାଞ୍ଚ ଦେଇଥିବା କଥା କହିଛନ୍ତି । ଅର୍ଥାତ୍ ଲାଞ୍ଚ କାରବାର ଦେଶର ଅଧାରୁ ଅଧିକ ଲୋକଙ୍କୁ କବଳିତ କରିଥିବା କଥା ଏହି ରିପୋର୍ଟରୁ ସାମ୍ନାକୁ ଆସିଛି । ତେବେ ଅନ୍ତର୍ଜାତୀୟ ସ୍ତରରେ ଦୁର୍ନୀତି ନେଇ ଭାରତର ସ୍ଥିତିରେ ସୁଧାର ଆସିଛି । ୧୮୦ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ୭୮ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

ସର୍ଭେରେ କୁହାଯାଇଛି, ଆଜି ମଧ୍ୟ ନଗଦ ଟଙ୍କା ଜରିଆରେ ଅଧିକ ଲାଂଚ କାରବାର ଚାଲିଛି । ଗତ ୧୨ ମାସରେ ୩୫ ପ୍ରତିଶତ ଜନତା ନିଜ କାମ କରେଇ ନେବା ପାଇଁ ନଗଦ ଟଙ୍କା ଲାଂଚ ଆକାରରେ ଦେଇଛନ୍ତି । ଜମି ଜମା ପଂଜୀକରଣ ଓ ଏ ସଂକ୍ରାନ୍ତୀୟ ମାମଲାରେ ଅଧିକ ଲାଂଚ କାରବାର ହେଉଥିବା ଜଣାପଡିଛି ।

ସେହିଭଳି ଓଡିଶାରେ ଦୁର୍ନୀତି ତଥା ଲାଂଚ କାରବାର କମିଛି ବୋଲି ଏଥିରେ କୁହାଯାଇଛି । ଖାଲି ଓଡିଶା ନୁହେଁ, ଦିଲ୍ଲୀ, ହରିୟାଣା, ଗୁଜୁରାଟ, ପଶ୍ଚିମବଙ୍ଗ, କେରଳ, ଗୋଆରେ ଲାଂଚ କାରବାର କମିଥିବା ବେଳେ ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ଝାଡଖଣ୍ଡ ଓ ପଂଜାବରେ ଲାଂଚ କାରବାର ବଢିଛି ।