‘ଫୋନି’କୁ ପୂରିବ ୭ ମାସ: ବାତ୍ୟା ଉଜାଡିଥିଲା ବାସ, କ୍ଷତିପୂରଣ ଟଙ୍କା ବାଟମାରଣା ପରେ ପଲିଥିନ୍ ତଳେ ବିତୁଛି ଜୀବନ । ସତ୍ୟବାଦୀରୁ ଆସିଲା ସାଂଘାତିକ ସତ ।

226

କନକ ବ୍ୟୁରୋ: ‘ଫନି’ ବାତ୍ୟାକୁ ୭ ମାସ ବିତିବାକୁ ବସିଛି । ହେଲେ ବାତ୍ୟା ମାଡ଼ରେ ଅଂଟା ଭାଙ୍ଗି ଯାଇଥିବା ପୁରୀ ଜିଲ୍ଲାର ଅନେକ କ୍ଷତିଗ୍ରସ୍ତଙ୍କ ଦୁଃଖ ଦୂର ହୋଇନାହିଁ । କିଏ ଭଙ୍ଗା ଘରକୁ ଯଥାକଥା ସଜାଡି ଦିନ କାଟୁଛି, ତ କିଏ ତାଟି କୁଡ଼ିଆରେ ପଲିଥିନ୍ ଟାଣି ମୁଣ୍ଡ ଗୁଂଜିଛି । ଅନେକ ପ୍ରକୃତ କ୍ଷତିଗ୍ରସ୍ତ, ଫନି ସହାୟତାରୁ ଏବେ ବି ବଂଚିତ ରହିଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି, ନୂଆ ହିତାଧିକାରୀଙ୍କୁ ଆଉ ଦିଆଯିବ ନାହିଁ ସହାୟତା ରାଶି । ଆଉ ଏହାରି ଭିତରେ ଏପରି କିଛି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗାଁରେ ଜମା ଘର ନଥିବା ଲୋକ ବି ନେଇଛନ୍ତି ଘରଭଙ୍ଗା ଟଙ୍କା ।

ଏ ହେଉଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ରାୟଖଣ୍ଡି ପଂଚାୟତର ଦୃଶ୍ୟ । ବାତ୍ୟା ଫନିକୁ ମାସ ମାସ ବିତିବା ପରେ ବି ଲୋକଙ୍କ ଅବସ୍ଥାରେ ପରିବର୍ତନ ହୋଇନାହିଁ । ଅନେକ ପରିବାର ଏବେ ବି ତାଟି ଘେରାଇ ପଲିଥିନ ଟାଣି ଦିନ କାଟୁଛନ୍ତି । ସରକାରୀ ବାବୁମାନଙ୍କର ବାରମ୍ବାର ଅନୁଧ୍ୟାନ ପରେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ମିଳିପାରିନି ସହାୟତା । ଯେଉଁ କିଛି ଲୋକଙ୍କୁ ସହାୟତା ମିଳିଛି, ତାହା ସମୁଦ୍ରଙ୍କୁ ଶଙ୍ଖେ ଭଳି । ଭଙ୍ଗା ଘରେ କିମ୍ବା ତମ୍ବୁ ତଳେ ସରକାରୀ ସହାୟତାକୁ ଚାତକ ଭଳି ଅପେକ୍ଷା କରିଛନ୍ତି ଲୋକ ।

ପ୍ରକୃତ କ୍ଷତିଗ୍ରସ୍ତ ସିନା ସରକାରୀ ସହାୟତାରୁ ବଂଚିତ ହୋଇଛନ୍ତି । କିନ୍ତୁ କୋଠାଘର ଥିବା କିମ୍ବା ଗାଁରେ ଆଦୌ ଘର ନଥିବା କିଛି ଲୋକ ଚଂଚକତା କରି ହାତେଇଛନ୍ତି ସହାୟତା ରାଶି । ଏପରି ଏକ ଅଭିଯୋଗ ଆସିଛି, ସତ୍ୟବାଦୀ ବ୍ଳକ ରାୟଖଣ୍ଡି ପଂଚାୟତର ଚକରପଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକଙ୍କ ନାଁରେ । ୧୦ ବର୍ଷ ହେଲା ଗାଁ ଛାଡ଼ିଲେଣି, ଅନେକ ବର୍ଷ ହେଲା ଘର ଭାଙ୍ଗିଗଲାଣି, ହେଲେ ଖାଲି ଜାଗାକୁ ଦେଖାଇ ଫନି ସହାୟତା ବାବଦରେ ୯୫ ହଜାର ଟଙ୍କା ହାତେଇ ନେଇଛନ୍ତି । ପୂର୍ଣ୍ଣଚନ୍ଦ୍ରଙ୍କ ଝିଅ ସେହି ପଂଚାୟତର ଗ୍ରାମ ରୋଜଗାର ସେବକ ଭାବେ କାମ କରୁଥିବାରୁ, ବଡ଼ ଧରଣର ଚଂଚକତା ହୋଇଥିବା ସଂଦେହ କରାଯାଉଛି ।

ସରକାର ସେମାନଙ୍କ ଦୁଃଖ ଶୁଣିବେ ବୋଲି ପୁରୀ ଜିଲ୍ଲାପାଳଙ୍କୁ ଭେଟିଥିଲେ ସତ୍ୟବାଦୀ ଅଂଚଳର କିଛି କ୍ଷତିଗ୍ରସ୍ତ । ତେବେ କୌଣସି ନୂଆ ହିତାଧିକାରୀଙ୍କୁ ସହାୟତା ଦିଆଯିବ ନାହିଁ ବୋଲି କହିଥିଲେ ଜିଲ୍ଲାପାଳ । ତେବେ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରାଇ ଆଣିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । କେବଳ ରାୟଖଣ୍ଡି ପଂଚାୟତ ନୁହେଁ ଅଧିକାଂଶ ଅଂଚଳରେ ଶହ ଶହ ଯୋଗ୍ୟ ହିତାଧିକାରୀ ସହାୟତାରୁ ବଂଚିତ ହୋଇଥିବା ବେଳେ ସରକାରୀ କର୍ମଚାରୀଙ୍କୁ ହାତ କରି ଅନେକ ଅଯୋଗ୍ୟ ହିତାଧିକାରୀ ପାଇଛନ୍ତି ସରକାରୀ ସହାୟତା ।