କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ, ଖଣିଜ ପ୍ରତିଷ୍ଠାନ ବା ଡ଼ିଏମଏଫ ପାଣ୍ଠିରୁ ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଇଛି । କିନ୍ତୁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ପରେ ବି ସ୍ଥାନୀୟ ଲୋକଙ୍କ ଅବସ୍ଥା ଯେମିତି ସେମିତି ରହିଛି। ଫଳରେ ଆଜିବି ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଇଲାକାରେ ବିକାଶ ଅପହଞ୍ଚ ହୋଇ ରହିଛି।

Advertisment

ସୁନ୍ଦରଗଡ ଆଦିବାସୀ ଅଞ୍ଚଳର ବିକାଶ ନାଁ ରେ ଖର୍ଚ୍ଚ ହୋଇଛି ପାଖାପାଖି ୪, ୪୦୦ କୋଟି ଟଙ୍କା । ସୂଚନା ଅଧିକାର ଆଇନ ଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଯୋଗାଯୋଗ , ମହିଳା ଓ ଶିଶୁ ବିକାଶ, ଦକ୍ଷତା ବିକାଶ, ଭିତ୍ତିଭୂମି ବିକାଶ ନାଁ ରେ ଏହି ଟଙ୍କା ଖର୍ଚ୍ଚ ହୋଇଛି। ବିଶେଷକରି ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଓ ବଣେଇ ଭଳି ଖଣି ଖାଦାନ ଅଞ୍ଚଳ ସହ ବିଭିନ୍ନ ଗାଁରେ ଖର୍ଚ୍ଚ ହୋଇଛି ଏହି ଟଙ୍କା କିନ୍ତୁ ଏବେବି ବିକାଶର ଅନ୍ଧାରି ଇଲାକାରେ ସୁନ୍ଦରଗଡ଼ର ଶତାଧିକ ଗାଁ । ଦେଖନ୍ତୁ ଏ ଦୃଶ୍ୟକୁ ଏବେ ବି ରାସ୍ତା, ବ୍ରିଜ, ଶିକ୍ଷା ଓ ଗମନାଗମନ ଏହି ଅଞ୍ଚଳ ପାଇଁ କେମିତି ସାତ ସପନ । ଜିଲ୍ଳା ପ୍ରଶାସନ ଓ କମିଟିର ସଦସ୍ୟ ମନଇଚ୍ଛା ପାଣ୍ଠିର ଦୁରୂପଯୋଗ କରିଥିବାରୁ ଏଭଳି ସ୍ଥିତି ଉପୁଜୁଛି ବୋଲି ଅଭିଯୋଗ ହୋଇଛି।

ଗତ ଦଶ ବର୍ଷ ଭିତରେ ବା ୨୦୧୫- ୧୬ ରୁ ୨୦୨୪ ମେ ମାସ ଭିତରେ ବିଭିନ୍ନ ଖଣିରୁ ସୁନ୍ଦରଗଡ ଡ଼ିଏମଏଫ ପାଣ୍ଠିକୁ ଆସିଛି ୭ ହଜାର ୬୫୦ କୋଟି ୩୮ ଲକ୍ଷ ଟଙ୍କା । ସେଥିରୁ ଖର୍ଚ୍ଚ ହୋଇଛି ୫ ହଜାର ୯୩୩ କୋଟି ୧୭ ଲକ୍ଷ ଟଙ୍କା । ହେଲେ ନିର୍ବାଚନ ଆଚରଣ ଵିଧି ଲାଗୁ ହୋଇ ନୂଆ ସରକାର ଦାୟିତ୍ୱ ନେବା ବେଳକୁ ଡ଼ିଏମଏଫ ପାଣ୍ଠିରେ ମାତ୍ର ୧ ହଜାର ୭୧୭ କୋଟି ୨୧ ଲକ୍ଷ ଟଙ୍କା ଜମା ଥିଲା ।ଏପରିକି ପାଣ୍ଠି ଗଠନ ହେବାର ପ୍ରଥମ ୭ ବର୍ଷ ଭିତରେ ମାତ୍ର ୧ ହଜାର ୪୩୩ କୋଟି ଟଙ୍କା ଖର୍ଚ କରାଯାଇଥିଲା । ହେଲେ ଗତ ୩ ବର୍ଷ ଭିତରେ ଅର୍ଥାତ ୨୦୨୧- ୨୨ ରୁ ୨୦୨୩-୨୪ ପର୍ୟ୍ୟନ୍ତ ୩ ଟି ଆର୍ଥିକ ବର୍ଷରେ ସର୍ବାଧିକ ୪ ହଜାର ୯୪୦ କୋଟି ଟଙ୍କା ଖର୍ଚ୍ଚ କରି ଦିଆଯାଇଥିବା ଅଭିଯୋଗ ହୋଇଛି ।