କନକ ବ୍ୟୁରୋ: କାମ ଆରମ୍ଭ କରିଲେ, ହେଲେ ମନମୁଖୀ ଭାବେ କାମ କରି ଚାଲିଲେ ଠିକାଦାର । ଆଉ ବ୍ରିଜ ନିର୍ମାଣରେ କରିଲେ ଦୁର୍ନୀତି । ନିଜକୁ ସୁହାଇଲା ଭଳି ବ୍ରିଜ୍ କାମ କରୁଥିବା ବେଳେ ଏହାକୁ ନେଇ ବିଭାଗୀୟ ଅଧିକାରୀ ବି ବେଶ ହାଲୁକା ଢଙ୍ଗରେ ଏହି ଦୁର୍ନୀତିକୁ ନେଇଛନ୍ତି । ଯାହାକୁ ନେଇ ଏବେ ବ୍ରିଜର ସ୍ଥାୟୀତ୍ୱକୁ ନେଇ ଉଠିଲା ପ୍ରଶ୍ନ ।

Advertisment

କୋଟି କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମାଣ ହେଉଛି ବ୍ରିଜ୍ । ବ୍ରିଜ ଉପରେ ୬ଗୋଟି ପଂଚାୟତବାସୀ ନିର୍ଭର କରୁଛନ୍ତି । ବ୍ରିଜ କାମ ଅତି ନିମ୍ନମାନର ହେଉଥିବା ବେଳେ ଏହାର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ । କପ୍ତିପଦାରୁ ଔପଦାକୁ ସଂଯୋଗ କରୁଛି ମହିଷାସୁରୀ ପୋଲ । ଏହି ପୋଲ ଉପରେ ଯାତାୟତ ପାଇଁ ନିର୍ଭର କରନ୍ତି ଶାଳଚୁଆ,ପଦ୍ମପୋଖରୀ, କଳମଗଡିଆ, ମଝିଗଡିଆ, ରାମଚନ୍ଦ୍ରପୁର ପଂଚାୟତର ଲୋକେ । ବର୍ଷାରେ ପୋଲଟି ଧୋଇ ଯାଇଥିବା ବେଳେ ଏହାର ମରାମତି କାମ କରାଉଛି । ବିନା ସୂଚନା ଫଳକ ପୋଲ ନିର୍ମାଣ ହେଉଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠିଛି ।

କଳଙ୍କି ଲଗା ରଡ଼ରେ ପୋଲ ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି । ସୋନ ନଦୀ ଉପରେ ନିର୍ମାଣ ହେଉଥିବା ଏହି ବ୍ରିଜ୍ କାମ ଆଳରେ ବେଧଡ଼କ ଭାବେ ବାଲି ଉଠାଯାଉଛି । ସବୁଠାରୁ ବଡ଼ କଥା ହେଉଛି ପୋଲ ନିର୍ମାଣର ଅବଧି ସରିଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ କାମ ସରିନାହିଁ । ବର୍ଷା ଦିନ ପାଇଁ ପଂଚାୟତବାସୀ ଚିନ୍ତାରେ ପଡ଼ିଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ବ୍ରିଜ କାମକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡିଓଙ୍କୁ ପ୍ରଶ୍ନ କରିବାରୁ ସେ ହାଲୁକା ଭାବେ ନେଇଛନ୍ତି । ବ୍ରିଜ କାମରେ ଖୋଲାଖୋଲି ଦୁର୍ନୀତି ହେଉଥିବା ବେଳେ ଏହାର ତଦନ୍ତ ଦାବି ହୋଇଛି ।