କନକ ବ୍ୟୁରୋ : ୨୦ କେଜି ବଦଳରେ ମିଳୁଛି ୪ କେଜି! ବିହନ ନାଁରେ ଚଳୁ କରିଦେଲେ କୋଟି କୋଟି!ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ଝିଲ୍ଲୀମାଲ ଗାଁର ପାର୍ବତୀ ବେହେରା। ପାଖରେ ଘରଡିହ ଛାଡ଼ି ଦେଲେ ଚାଷ ଜମି ବୋଲି କିଛି ନାହିଁ। କିନ୍ତୁ ଆରଟିଆଇ ତଥ୍ୟ କହୁଛି, ତାଙ୍କ ନାଁରେ ଦୁଇ ଏକର ଜମିରେ ବିରି ଚାଷ କରିବା ପାଇଁ ୧୬କିଲୋ ବିହନ ଦିଆଯାଇଛି। ହେଲେ ବିହନ ଦିଆଯାଇନଥିବା ରୋକଠୋକ ଭାବରେ ମନା କରିଦେଇଛନ୍ତି ପାର୍ବତୀ।

Advertisment

କେବଳ ପାର୍ବତୀ ନୁହଁନ୍ତି, ମହେନ୍ଦ୍ର କୁମାର ପଟେଲ ଓ ବିଶ୍ୱରଞ୍ଜନ ପଟେଲଙ୍କ ସହିତ ମଧ୍ୟ ଘଟିଛି ସମାନ ଘଟଣା। ମହେନ୍ଦ୍ରଙ୍କୁ ୧୬ କେଜି ବଦଳରେ ମିଳିଛି ମାତ୍ର ୪ କେଜି ବିହନ। ସେହିପରି ବିଶ୍ୱରଞ୍ଜନଙ୍କ ନାଁରେ ଆସିଛି ୪୮ କେଜି ବିହନ। ହେଲେ ପାଇଛନ୍ତି ମାତ୍ର ୧୨ କେଜି ବିହନ। କେବଳ ବିହନ ନୁହେଁ, ଉଭୟ ମହେନ୍ଦ୍ର ଓ ବିଶ୍ୱରଞ୍ଜନଙ୍କୁ ଦେବାକୁ ଥିବା ସାର, କୀଟନାଶକ, ବିହନ ବିଶୋଧକ ସବୁ ମାରିନେଇଛନ୍ତି।

ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦୁଇଟି ଏନଜିଓ ସଂସ୍ଥା କେଭିଏସଏସ ବା କୃଷି ବିକାଶ ସହକାରୀ ସମିତି ଏବଂ ଏଏଫସି ଫାଉଣ୍ଡେସନକୁ ଦାୟିତ୍ୱ ଦିଆଯାଇଛି। ହେଲେ ଏହି ଦୁଇ ଏନଜିଓ ସଂସ୍ଥା ସହ ଚାଷୀଙ୍କୁ ବିହନ ଯୋଗଇବା, ସାର , କୀଟନାଶକ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବା ସହିତ ବୈଷୟିକ ସହାୟତା ଦେବା ପାଇଁ ଚୁକ୍ତି ହୋଇଥିଲା। ତେବେ କେବଳ ୪କେଜି ଲେଖାଏଁ ବିହନ ବାଣ୍ଟି ଚାଷୀଙ୍କର ସାଧା ଫର୍ମରେ ଦସ୍ତଖତ ଆଣି ପାଖପାଖି ୨୩ କୋଟି ଟଙ୍କା ଖାଇ ଯାଇଥିବା ଅଭିଯୋଗ ହୋଇଛି । କିପରି ଚାଷୀଙ୍କ ଏହି ବିହନ ଟଙ୍କାକୁ ଚଳୁ କରୁଥିଲେ ଏନଜିଓ ଓ ସରକାରୀ ବାବୁ ତାର ଗୁମର ଖୋଲିଛନ୍ତି ଖୋଦ ଏନଜିଓର ଫିଲ୍ଡ କର୍ମଚାରୀ।

ତେବେ ଯୋଜନାରେ ଦୁର୍ନୀତି ନେଇ ବିଭାଗ ପାଖରେ କୌଣସି ଖବର ନଥିବା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ। ପ୍ରଶ୍ନ ଉଠୁଛି, କେବଳ ସୁନ୍ଦରଗଡ଼ ଜିଲ୍ଲାରେ ନାଁ ଅନ୍ୟ ଜିଲ୍ଲାରେ ମଧ୍ୟ ଏଭଳି ଦୁର୍ନୀତି ହୋଇଛି?  ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି।