ରାଫେଲ ଡିଲକୁ ନେଇ ତଦନ୍ତ ଦାବି କଲା ଫ୍ରାନ୍ସର ଏନଜିଓ ସେର୍ପା ! ଫ୍ରାନ୍ସ ସରକାର ଓ ଡାସଲ୍ଟର ଭୂମିକା ନେଇ ଛାନଭିନ କରିବାକୁ ଦାବି । 

117

କନକ ବ୍ୟୁରୋ : ଥମୁନି ଭାରତ ଓ ଫ୍ରାନସ ମଧ୍ୟରେ ସ୍ୱାକ୍ଷରିତ ହୋଇଥିିବା ରାଫେଲ ଚୁକ୍ତିକୁ ନେଇ ଦୁର୍ନୀତି ଅଭିଯୋଗ । ଏହି ଅଭିଯୋଗର ତଦନ୍ତ କରିବାକୁ ଫ୍ରାନସର ଏକ ଦୁର୍ନୀତି ବିରୋଧୀ ଏନଜିଓ ସେଠାକାର ଫାଇନାନସିଆଲ ପ୍ରସିକ୍ୟୁଟର୍ସ ଅଫିସରେ ଅଭିଯୋଗ ଦାଏର କରିଛି । ଏନେଇ ଫରାସୀ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ  ଦୁର୍ନୀତି ଓ ଭ୍ରଷ୍ଟାଚାରର ବିରୋଧରେ ସଂଗ୍ରାମ କରୁଥିବା ସେର୍ପା ନାମକ ସ୍ୱେଚ୍ଛାସେବୀ ସଂଗଠନ ଅକ୍ଟୋବର ମାସରେ ଏ ନେଇ ଅଭିଯୋଗ ଦାଖଲ କରିଛି ।

ରାଫେଲ ବିକ୍ରୟ ବ୍ୟାପାରରେ କ୍ଷମତାର ଅପବ୍ୟବହାର ଏବଂ ଅଧିକାର ନଥିବା ସୁଯୋଗକୁ ମଞ୍ଜୁରି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଜଣେ ପୂର୍ବତନ ମନ୍ତ୍ରୀ ଏବଂ ଦୁର୍ନୀତି ବିରୋଧୀ ଓକିଲଙ୍କ ଅଭିଯୋଗ, ଗଣମାଧ୍ୟମର ରିପୋର୍ଟ ଓ ସେର୍ପା କରିଥିବା ତଦନ୍ତ ଆଧାରରେ ଏହି ଅଭିଯୋଗ କରାଯାଇଛି । ଅଭିଯୋଗ ଅପରାଧର ବାସ୍ତବତା ଓ କାଳ୍ପନିକତା ସମ୍ପର୍କରେ ଗୁରୁତ୍ୱାରୋପ କରି ନ୍ୟାସନାଲ ପବ୍ଲିକ ପ୍ରସିକ୍ୟୁଟର୍ସ ଅଫିସ ତୁରନ୍ତ ତଦନ୍ତ କରିବ ବୋଲି ଏହି ଏନଜିଓ କହିଛି । ଏହାଛଡା ଆର୍ଥିକ ଦୁର୍ନୀତିରେ ଫ୍ରାନସ ସରକାର ଏବଂ ଡାସଲଟ ଆଭିଏନସଙ୍କର ଭୂମିକା ଉପରେ ମଧ୍ୟ ଅଫିସ ଆଲୋକପାତ କରିବ ବୋଲି ଏନଜିଓ କହିଛି ।