କନକ ବ୍ୟୁରୋ : ଲୋୟର ସୁକତେଲ ପ୍ରକଳ୍ପ ପାଇଁ ପୂର୍ବପୁରୁଷ ଅର୍ଜିଥିବା ଭିଟାମାଟି ଓ ଚାଷ ଜମି ଛାଡିଥିବା ଲୋକ ଏମିତି ଦୁର୍ଦ୍ଦଶାରେ ରହୁଛନ୍ତି । ଏ ହେଉଛି ବିସ୍ଥାପିତଙ୍କୁ ଥଇଥାନ କରାଯାଇଥିବା ଝାଙ୍କରପାଲି ସ୍ଥିତ ଆରଆର କଲୋନିର ଦୃଶ୍ୟ । ଅସରାଏ ବର୍ଷା ହେଲେ ଘରେ ପାଣି ଲହଡ଼ି ମାରୁଛି । ଘରର ସ୍ଥିତି ଗାଈ ଗୁହାଳଠୁ ଆହୁରି ଖରାପ, ମଣିଷ ରହିବେ କେମିତି। ଲଗାଣ ବର୍ଷାରେ ଭିଜି ଯାଇଛି ସବୁ ରୋଷେଇ ସାମଗ୍ରୀ, ଚୁଲି ବି ଓଦା ସରସର, ରୋଷେଇ ହେବ କେଉଁଠି । ୪ ଦିନ ହେଲା ଖାଡ଼ା ଉପବାସରେ ପିଲାଛୁଆ ସହ ପୁରା ପରିବାର ।
ବିସ୍ଥାପିତଙ୍କ ଆଖିର ଲୁହ ଓ କୋହ ବୁଝିବ କିଏ? ଭିଟାମାଟି ଛଡ଼ାଇ ନେଇ ନିରୀହ ସ୍ଥାନୀୟ ବାସିନ୍ଦାଙ୍କୁ ଏବେ ଯମ ଦଣ୍ଡ ଦେଉଛି ପ୍ରଶାସନ । ଆରଆରକଲୋନୀର ସ୍ଥିତି ପ୍ରମାଣ ଦେଉଛି, ପୁର୍ନବାସ ଓ ଥଇଥାନରେ ବଡ଼ ଧରଣର ଦୁର୍ନୀତି ହୋଇଛି । ବିସ୍ଥାପିତଙ୍କୁ କଥା ଦେଇ କଥା ରଖିନାହିଁ ପ୍ରଶାସନ। ଲଗାଣ ବର୍ଷାରେ ଘରେ ପାଣି ପଶିଛି, ଖଟିଆଠୁ ଆରମ୍ଭ କରି ସପ, ମଶିଣା ସବୁ ଭିଜିଯାଇଛି । ରୋଷେଇ କରି ଖାଇ ପାରୁ ନାହାନ୍ତି କି ଶୋଇ ପାରୁ ନାହାନ୍ତି ।
ବଜେଟ ଅଧିବେଶନ ସମୟରେ ଲୋୟର ସୁକତେଲରେ ବଡ଼ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ପୂର୍ବ ସରକାରଙ୍କୁ ଘେରିଛନ୍ତି ବର୍ତ୍ତମାନର ମୋହନ ସରକାର । ଏପରି ସମୟରେ ଲୋୟର ସୁକତେଲର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ ଭିଜିଲାନ୍ସ ଜାଲରେ ଧରାପଡିବା ଦୁର୍ନୀତି ଚର୍ଚ୍ଚାକୁ ବଢ଼ାଇ ଦେଇଛି । ତାଙ୍କର ବିଭିନ୍ନ ଠିକଣାରୁ ନଗଦ ୨ଲକ୍ଷ ୩୪ ହଜାର ଟଙ୍କା, ୨କୋଟି ୮୪ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ, ଏକ କିଲୋ ସୁନା, ବିଭିନ୍ନ ସହରରେ ବହୁତଳ ପ୍ରସାଦ, ୩୪ଟି ପ୍ଲଟ, ବହୁ ବେନାମୀ ଗାଡ଼ି ଜବତ ହୋଇଛି । ଭାତ ହାଣ୍ଡିରୁ ଗୋଟିଏ ଚିପିଲେ ଜଣାପଡିବା ଭଳି ନିର୍ମାଣ ଯନ୍ତ୍ରୀଙ୍କ ଏହି ଅମାପ ସଂପତ୍ତି ସ୍ପଷ୍ଟ କରୁଛି, ଲୋୟର ସୁକତେଲରେ ବଡ଼ କେଳେଙ୍କାରୀ ହୋଇଛି ।