କନକ ବ୍ୟୁରୋ : ଦାନା ବାନ୍ଧୁଛି ରାଜ୍ୟସ୍ତରୀୟ ବାଲିଯାତ୍ରା କଟକ ଉତ୍ସବ ଆୟୋଜନରେ ଦୁର୍ନୀତି ପ୍ରସଙ୍ଗ ।ତଦନ୍ତ ପାଇଁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛି ରାଷ୍ଟ୍ରୀୟ ପଛୁଆ ବର୍ଗ । ଯେତେ ଦିନ ବଢୁଛି ସେତେ ବାଲିଯାତ୍ରା ଦୁର୍ନିତିର ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି । ଚଳିତ ବର୍ଷ ସ୍ଥିତି ଏମିତି ହୋଇଛି ଯେ ବାଲିଯାତ୍ରା ସମୟରେ ଜିଲ୍ଲା ପ୍ରଶାସନ ୧ ହଜାର ସ୍ମରଣିକା ବି ଛାପି ପାରିନାହିଁ । ଏଥିପାଇଁ କିନ୍ତୁ ବଜେଟ ହୋଇଥିଲା ସାଢେ ୩ ଲକ୍ଷ ଟଙ୍କା । କଟକ ପୌର ନିଗମ ପକ୍ଷରୁ ୯୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମହାନଦୀ ଜଳରାଶିରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଲେଜର ସୋ ଯୋଜନା ହେଲା ଯେ ତାହା ମାତ୍ର ୩ ଦିନରେ ବନ୍ଦ ହେଇଗଲା । ୨ କୋଟି ୧୦ ଲକ୍ଷ ୧୩ ହଜାର ୨୧୫ ଟଙ୍କା ବ୍ୟୟରେ ବାଲିଯାତ୍ରା ପଡ଼ିଆରେ ଏମିତି ମୋରମ୍ ପୂର୍ତ ବିଭାଗ ପକ୍ଷରୁ ବିଛାଗଲା ଯେ ପାଣି ପଡ଼ି କାଦୁଅ ପରିବେଶ ସୃଷ୍ଟି ହୋଇଥିଲା । ସେହିପରି ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ସ୍କାନରରେ ରହିଛି । କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମ୍ ମଧ୍ୟ କଟକ ମହାନଗର ନିଗମ ଦ୍ୱାରା ହୋଇଥିବା ମହାଦୁର୍ନୀତି ତଥା ସାଧାରଣ ଜନତାଙ୍କ ଅର୍ଥକୁ ଅପବ୍ୟବହାର କରିବାର ଅଭିଯୋଗ ଆଣିଛନ୍ତି ।
ସେପଟେ ସିଏମସି କମିଶନର ନିଖିଲ ପବନ କଲ୍ୟାଣ କହିଛନ୍ତି କି, ବାଲିଯାତ୍ରା ପାଇଁ ହୋଇଥିବା ଆୟୋଜନ ବାବଦରେ କୌଣସି ସଂସ୍ଥାକୁ ଟଙ୍କା ଦିଆଯାଇନାହିଁ । ଆୟୋଜନ ପୂର୍ବରୁ ହୋଇଥିବା ସମସ୍ତ ବଜେଟର ଅପ୍ରୁଭାଲ ସ୍ୱଚ୍ଛତାର ସହ ହୋଇଛି ଓ ସଠିକ୍ ଧାରାରେ ଟେଣ୍ଡର ହୋଇଥିବା କଥା ସେ କହିଛନ୍ତି ।