ରାସ୍ତା ଟଙ୍କା ଖାଇ ଯିବାକୁ ଉଦ୍ୟମ ଅଭିଯୋଗ । ମାହାଙ୍ଗାରେ ସରକାରୀ ନିୟମକୁ ଫୁ କରି ରାସ୍ତାରେ ଗାର୍ଡ ୱାଲ ତିଆରି କରୁଛି ଠିକାଦାର

63

କନକ ବ୍ୟୁରୋ : କଟକ ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ ଅଧିନରେ ଥିବା ନିଶ୍ଚିନ୍ତକୋଇଲି ଉପଖଣ୍ଡର ରାସ୍ତା। ଦାଶସାହି ଠାରୁ ଆଜାଦ ବଜାର ପର୍ୟ୍ୟନ୍ତ ୨ କିମି ରାସ୍ତାର ଉଭୟ ପାର୍ଶ୍ଵରେ ନିର୍ମାଣ ହେଉଛି ଗାର୍ଡ ୱଲ। ୩ ଫୁଟ ଗଭୀର ମାଟି ଖୋଳି କଂକ୍ରିଟ ଢଳାଇ କରିବାର ନିୟମ ଥିଲା ବେଳେ ଠିକାଦାର ମନଇଚ୍ଛା ଖୋଳି ଢଳାଇ କରୁଛି। ମାଟି ଖୋଳି ମାତ୍ର ୩ ଇଞ୍ଚ ଢଳାଇ ଉପରେ ପ୍ଲେନ ସିମେଣ୍ଟ କଂକ୍ରିଟ ୱଲ ନିର୍ମାଣ କରୁଛି ଠିକାଦାର। ପ୍ରତିବାଦ କରିଲେ ଠିକାଦାର ଓ ଯନ୍ତ୍ରୀ ଧମକ ଦେଉଥିବା ଅଭିଯୋଗ ହେଉଛି ।

ଅଧିକ୍ଷଣଯନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୧ କୋଟି ୬୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତାରେ ସୂଚନା ଫଳକ ମରା ଯାଇନାହିଁ। ନିର୍ମାଣ ସମୟରେ ଯନ୍ତ୍ରୀ ଉପସ୍ଥିତ ରହୁନଥିବା ବେଳେ ବାଲି ବସ୍ତା ଓ ମାଟି ଉପରେ କଂକ୍ରିଟ ଢଳାଇ ପକାଉଛି ଠିକା ସଂସ୍ଥା। କାମର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଓ ଭିଜିଲାନ୍ସ ବିଭାଗକୁ ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ସେପଟେ ଗ୍ରାମବାସୀଙ୍କ ଏହି ଅଭିଯୋଗର ଉତର ଗଣମାଧ୍ୟମରେ ଦେବାକୁ ନାରାଜ ନିଶ୍ଚିନ୍ତକୋଇଲି ଉପଖଣ୍ଡ ସରକାରୀ ନିର୍ବାହୀଯନ୍ତ୍ରୀ ।