ଗଂଜାମ ହିଞ୍ଜିଳିକାଟୁରୁ ଆସିଲା ସମ୍ବେଦନଶୀଳ ଚିତ୍ର : ୧୦ ଘଂଟା ଶବ ପଡିରହିବା ପରେ ପିପିଇ କିଟ୍ ପିନ୍ଧି ପହଂଚିଲେ ୩ ଅଧିକାରୀ; ଶ୍ମଶାନରେ କଲେ ସତ୍କାର

277

କନକ ବ୍ୟୁରୋ : କରୋନା ମହାମାରୀ କାଳରେ ମାନବିକତା ମରି ମରି ଯାଉଥିବାବେଳେ, ଅଫିସରଙ୍କ ମହାନତା ଦେଖିବାକୁ ମିଳିଛି । ୩ ପ୍ରଶାସନିକ ଅଧିକାରୀ ପିପିଇ କିଟ ପିନ୍ଧି କରୋନା ଆକ୍ରାନ୍ତଙ୍କ ମୃତଦେହକୁ ନେଇ ସତ୍କାର କରିଛନ୍ତି । ଗଞ୍ଜାମ ହିଞ୍ଜିଳିକାଟୁରେ ଜଣେ ପାରାଦ୍ୱୀର ଫେରନ୍ତା ଯୁବକଙ୍କ କରୋନାରେ ମୃତ୍ୟୁ ହେବାପରେ ଶବକୁ ସଂପର୍କୀୟ ଓ ସାଇପଡିଶା ଛୁଇଁନଥିଲେ । ପ୍ରାୟ ୧୦ ଘଂଟା କାଳ ଶବ ପଡିରହିବା ପରେ ପିପିଇ କିଟ୍ ପିନ୍ଧି ପହଂଚିଥିଲେ ବିଡିଓ, ପୌର ନିର୍ବାହୀ ଅଧିକାରୀ ଓ ତହସିଲଦାର । କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ଶବକୁ ଘରୁ ବାହାର କରି ଶ୍ମଶାନକୁ ନେଇଥିଲେ ଓ ସତ୍କାର କରିଥିଲେ ।

ସୂଚନାନୁସାରେ, ଡି. ଗୋବିନ୍ଦା ନାମକ ଏହି ଯୁବକ ଦୁଇଦିନ ତଳେ ପାରାଦୀପରୁ ଫେରିଥିଲେ । ଜ୍ୱରରେ ଆକ୍ରାନ୍ତ ଥିବାରୁ ରହୁଥିବା ଭଡାଘରର ଉପର ମହଲାରେ ଏକାନ୍ତବାସରେ ଥିଲେ । ତଳ ମହଲାରେ ଥିଲେ ପରିବାରର ଅନ୍ୟ ସଦସ୍ୟ । ହେଲେ ବିଳମ୍ବିତ ରାତିରେ ତାଙ୍କର ଦେହ ଗୁରୁତର ହେବା ସହ ସେ ଘରେ ହିଁ ଟଳିପଡିଥିଲେ । ସଂକ୍ରମଣ ଭୟରେ ପରିବାର ସଦସ୍ୟ, ସଂପର୍କୀୟ ଓ ସାହିପଡିଶା ଶବକୁ ଛୁଇଁ ନ ଥିବାବେଳେ ଦେବଦୂତ ଭଳି ପହଂଚିଥିଲେ ପ୍ରଶାସନିକ ଅଧିକାରୀ ।

ଶେଷରେ ପରିବାର ନିକଟରେ ଦେବଦୂତ ଭଳି ପହଞ୍ଚିଥିଲେ ପ୍ରାଶାସନିକ ଅଧିକାରୀ । ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା, ପୌର ନିର୍ବାହୀ ଅଧିକାରୀ ଡ.ମନୋରଞ୍ଜନ ସାହୁ, ହିଞ୍ଜିଳିକାଟୁ ଅଗ୍ନିଶମ ଅଧିକାରୀ ଗୌତମ ସାହୁ, ବଡ଼ଖଣ୍ଡି ଜିଆରଏସ୍ ମାନସ ସାହୁ ଓ ସ୍ୱେଚ୍ଛାସେବୀ ଏନ୍‌.ଜୟନ୍ତ, ବାବୁ ଗୌଡ଼ ପିପିଇ କିଟ୍ ପିନ୍ଧି ଗୋବିନ୍ଦାଙ୍କ ଶବକୁ ଘର ତଳକୁ ଓହ୍ଲାଇଥିଲେ । ସମରଝୋଳ ଶ୍ମଶାନକୁ ନେଇ ସମ୍ମାନର ସହ ସତ୍କାର କରାଇଥିଲେ ।

୩ ପ୍ରାଶାସନିକ ଅଧିକାରୀ, ଜିଆର୍‌ଏସ୍ ଓ‌ ସ୍ବେଚ୍ଛାସେବୀଙ୍କ ଏଭଳି ମହନୀୟତାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍ କରି ପ୍ରଶଂସା କରିଛନ୍ତି । ସାଂପ୍ରତିକ ପରିସ୍ଥିତିରେ ଏହା ସମାଜ ପାଇଁ ଉତ୍ତମ ବାର୍ତ୍ତା ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ ବୋଲି ମତପ୍ରକାଶ ପାଇଛି ।