କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ୩ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟାଭଳି ନୃସଂଶ ଘଟଣାକୁ ନେଇ ଏୟାରଫିଲ୍ଡ ଥାନାକୁ ଯାଇଛି ବିଜେପି ମହିଳା ମୋର୍ଚ୍ଚା । ଜଣେ ଶିଶୁ ଦୁନିଆ ଦେଖିବା ଆଗରୁ ତାକୁ କିଭଳି ଦୁଷ୍କର୍ମ କରି ହତ୍ୟା କରାଗଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ଓ କର୍ମୀ । ଏହି ରୁଗ୍ମଣ ମାନସିକତା ରଖୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନିଶା ସେବନ ଯୋଗୁଁ ଏହିଭଳି ଜଘନ୍ୟ କାଣ୍ଡ ଘଟୁଥିବା ଅଭିଯୋଗ କରିଛନ୍ତି କର୍ପୋରେଟର ମଧୁସ୍ମିତା ପ୍ରଧାନ । ଆଉ ପରିବାରକୁ ସମବେଦନା ଜଣାଇବା ସହ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବା ବେଳେ କାନ୍ଦିପକାଇଥିଲେ କର୍ପୋରେଟର । ଭୁବନେଶ୍ୱର ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଘଟିଥିଲା ଜଘନ୍ୟକାଣ୍ଡ । ୩ ବର୍ଷର ଶିଶୁ କନ୍ୟାକୁ ତଂଟି କାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ସେହି ବସ୍ତିର ଜଣେ ଯୁବକ ଏପରି କାଣ୍ଡ ଘଟଣାଇଥିବା ଜଣାପଡ଼ିଛି । ହେଲେ ଅଭିଯୁକ୍ତ ପଡୋଶୀ ସ୍ଥାନୀୟ ଲୋକଙ୍କୁ ଚକ୍ମା ଦେଇ ଫେରାର ହୋଇଯାଇଛି । ଅଭିଯୁକ୍ତକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଓ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ।