କୋଭିଡକୁ ନେଇ ମୃତ୍ୟୁ ବଢୁଥିବା ବେଳେ ଶବ ପୋଡିବାକୁ ନେଇ ଚାଲିଛି କର୍ପୋରେଟ ଡିଲ୍ । ପ୍ୟାକେଜ ଘୋଷଣା କରି ଶବ ପୋଡୁଛନ୍ତି କମ୍ପାନୀ ।

190

କନକ ବ୍ୟୁରୋ: କୋଭିଡ ସମୟରେ ସବୁଠାରୁ ବଡ ଚ୍ୟାଲେଂଜ ହୋଇ ଛିଡା ହୋଇଛି, ଶ୍ମସାନରେ ଶବଦାହ । କାରଣ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଯେମିତି ବଢି ବଢି ଚାଲିଛି, ଶ୍ମସାନରେ ଶବ ପୋଡିବା ପାଇଁ ମଧ୍ୟ ଭିଡ ସେମିତି ହେଉଛି । ଶବକୁ ପୋଡିବା କଥା ଛାଡନ୍ତୁ ଶ୍ମସାନରେ ଯାଗା ଖଣ୍ଡିଏ ପାଇବା ପାଇଁ ଘଂଟା ଘଂଟା ଅପେକ୍ଷା କରିବାକୁ ପଡୁଛି ।

ଆମେ ଆପଣଙ୍କୁ ହାଇଦ୍ରାବାଦ ସହରର କାହାଣୀ କହିବୁ । ଯେଉଁଠି କର୍ପରେଟ ଷ୍ଟାଇଲରେ ଚାଲିଛି ଶବଦାହ । କିଛି କମ୍ପାନି ଏସବୁ କାମ କରୁଛନ୍ତି ଏବଂ ଏଥିପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ । କୋଭିଡ ସଂକ୍ରମଣ ଭିତରେ ବଢିଛି ମୃତ୍ୟୁ ହାର । ଆଉ ମୃତଦେହକୁ ପୋଡିବା ଏବେ ଏକ କର୍ପୋରେଟ ବ୍ୟବସାୟରେ ପରିଣତ ହୋଇଛି । କିଛି କର୍ପରେଟ ସଂସ୍ଥା ଏବେ ଆଗେଇ ଆସିଛନ୍ତି ଶବଦାହ କରିବାକୁ । ଏଥିପାଇଁ ସେମାନେ ଦାବି କରୁଛନ୍ତି ୩୦ରୁ ୩୫ ହଜାର ଟଙ୍କା । ଶବଦାହ କରିବା ପାଇଁ ଥରେ ନାଁ ପଞ୍ଜିକୃତ କରିଦେଲେ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ବାକି ସବୁ କାମ ଆପେ ଆପେ ହୋଇଯିବ ।

ଭାରତର ୭ଟି ସହରରେ ଏହି କାମ କରୁଥିବା କମ୍ପାନି ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲାଗିପଡିଛି । ଏହି କମ୍ପାନି ପକ୍ଷରୁ କୁହାଯାଇଛି, ରେଜିଷ୍ଟ୍ରେସନ କରିବାର ପ୍ରକ୍ରିୟା ଶେଷ ହେବା ପରେ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ ତାହା କମ୍ପାନି ପକ୍ଷରୁ କରାଯାଏ । ଶବକୁ ନେବା, ଗାଡି ବ୍ୟବସ୍ଥା କରିବା, ଶ୍ମଶାନରେ ସ୍ଲଟ ବୁକିଂ କରିବା, ଜଣେ ବ୍ରାହ୍ମଣର ବ୍ୟବସ୍ଥା କରିବା, ଶେଷକୃତ୍ୟ ପାଇଁ ଆବଶ୍ୟକ ସଂରଜାମ ଯୋଗାଡ କରିବା ଏସବୁ କିଛି କମ୍ପାନିର କର୍ମଚାରୀମାନେ ଆପଣଙ୍କ ପାଇଁ କରିଦେବେ । ବେଙ୍ଗାଲୁରୁରେ କାମ କରୁଥିବା ଅନ୍ତେଷ୍ଟି ଫ୍ୟୁନେରାଲ ସର୍ଭିସର ସିଟି ମ୍ୟାନେଜର ଏହି ସୂଚନା ଦେଇଛନ୍ତି ।

ହାଇଦ୍ରାବାଦରେ ଗୋଟିଏ ଶବ ଦାହ ପାଇଁ ପ୍ୟାକେଜ ରହିଛି ୩୨ ହଜାର ଟଙ୍କା । ଚେନ୍ନାଇ, ଦିଲ୍ଲୀ ଏବଂ ଜୟପୁରରେ ଏହି କମ୍ପାନି ତାର ଶାଖା ମଧ୍ୟ ଖୋଲିଛି । ଯାହାକି କୋଭିଡ ସମୟରେ ସଫଳ ବ୍ୟବସାୟ କରୁଛି ।

ହାଇଦ୍ରାବଦ ପରେ ହସ୍ପିଟାଲ ଚାରିପାଖେ ବୁଲୁଥିବା କିଛି ଦଲାଲ ଶବଦାହ ପାଇଁ ୮୦ହଜାର ପର୍ଯ୍ୟନ୍ତ ଦାବି କରୁଥିବା ବେଳେ ଏହି ସଂସ୍ଥା ଗୁଡିକ କମ ପଇସାରେ ଶବଦାହ କରୁଛନ୍ତି । ଏହି କମ୍ପାନି ସହିତ ଜଡିତ ବ୍ରାହ୍ମଣ ପଣ୍ଡିତଙ୍କ କହିବା ହେଲା, କୋଭିଡ ରୋଗୀଙ୍କୁ ଶ୍ମଶାନରେ ଆଣି ଶବଦାହ କରିବା ଅତ୍ୟନ୍ତ ବିପଜ୍ଜନକ କାର୍ଯ୍ୟ । ଏଥିରେ ବିପଦ ରହିଥିବାରୁ ବହୁ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ । କିନ୍ତୁ ଏହା ସତ ଯେ କୋଭିଡ ସମୟରେ ଜଣେ ବ୍ୟକ୍ତି ପକ୍ଷରେ ଶବଦାହ ପାଇଁ ଅନେକ କିଛି ବ୍ୟବସ୍ଥା କରିବାକୁ ପଡିଥାଏ, ଏଥିପାଇଁ ଲୋକବଳ ଏବଂ ଅର୍ଥବଳ ଦରକାର ପଡିଥାଏ । କିନ୍ତୁ କେବଳ ଟଙ୍କା ଖର୍ଚ୍ଚ କଲେ ଯଦି ଆପଣଙ୍କ ଘର ପାଖରେ ସବୁସେବା ପହଂଚିଯିବ ତେବେ ଅସୁବିଧା କଣ ।