କରୋନା ଟୀକାକୁ ନେଇ ବିଶେଷଜ୍ଞଙ୍କ ବଡ ମତ: ମହାମାରୀକୁ ମାତ୍ ଦେଇଥିବା ଆକ୍ରାନ୍ତ ୩ ମାସ ପରେ ବି ପୁଣି ଥରେ ହୋଇପାରନ୍ତି ସଂକ୍ରମିତ; କରୋନା ମହାମାରୀକୁ ସଂପୂର୍ଣ୍ଣ ରୂପେ ପ୍ରତିହତ କରିବାକୁ ସକ୍ଷମ ହୋଇନପାରେ ପ୍ରତିଷେଧକ

348

କନକ ବ୍ୟୁରୋ: ସାରା ବିଶ୍ୱରେ ବର୍ତ୍ତମାନ ପ୍ରାୟ ଦେଢ କୋଟିରୁ ଅଧିକ ଲୋକ କରୋନା ମହାମାରୀର ଶିକାର ହୋଇ ହସପିଟାଲ ବେଡରେ ପଡି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ସେହିଭଳି ପାଖାପଖି ୬ ଲକ୍ଷ ଲୋକଙ୍କର ମଧ୍ୟ ଏହି ମହାମାରୀ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଲାଣି ତେବେ ଆଶ୍ୱସ୍ତିକର ଖବର ହେଉଛି କି ଏହି ମହାମାରୀକୁ ମାତ୍ ଦେଇ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୦ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି । ଇତିମଧ୍ୟରେ କରୋନା ଟୀକାକୁ ନେଇ ମଧ୍ୟ ସକରାତ୍ମକ ଖବର ଆସିଛି । ତେବେ ଏଭଳି ପରିସ୍ଥିତିରେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ କି, କଣ ବାସ୍ତବରେ କରୋନା ଟୀକା ଆମକୁ ମହାମାରୀରୁ ଶତ ପ୍ରତିଶତ ସୁରକ୍ଷା ଦେଇପାରିବ? କଣ ଥରେ କରୋନା ସଂକ୍ରମଣରୁ ବର୍ତ୍ତିଗଲେ ଆଉ ଥରେ ଏହି ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଛି କି?

ମହାମାରୀ ସଂକ୍ରମଣକୁ ରୋକିପାରିବ ତ ଟୀକା?

ଆମେରିକାନ୍ ଜର୍ନାଲ ଅଫ ପ୍ରିଭେଂଟିଭ ମେଡିସିନରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ବିଶ୍ୱକୁ ପୂର୍ବାସ୍ଥାକୁ ଫେରିବା ପାଇଁ ଭ୍ୟାକସିନ ୭୦ରୁ ୮୦ ପ୍ରତିଶତ ପ୍ରଭାବଶାଳୀ ହେବା ଆବଶ୍ୟକ । ଏହି ତୁଳନାରେ ମିଳିମିଳା ଟୀକାର ପ୍ରଭାବ ୯୫ରୁ ୯୮ ପ୍ରତିଶତ ରହିଥିବା ବେଳେ ସ୍ୱାଇନ୍ ଫ୍ଲୁ ଟୀକା ୨୦ରୁ ୬୦ ପ୍ରତିଶତ ପ୍ରଭାବଶାଳୀ ହୋଇଥାଏ । ତେବେ ଏହାର ଅର୍ଥ ନୁହେଁ ଯେ କମ୍ ପ୍ରଭାବଶାଳୀ ଟୀକା ଅଦରକାରୀ ହୋଇପାରେ । ତେଣୁ ଯେକୌଣସି ପରିସ୍ଥିତିରେ ବି ଆମକୁ ସୋସିଆଲ ଡିସଷ୍ଟାନ୍ସିଂକୁ ଗୁରୁତ୍ୱ ଦେବାକୁ ପଡିବ ।

୩ ମାସ ପରେ ସୁସ୍ଥ ଆକ୍ରାନ୍ତ ହୋଇପାରନ୍ତି ସଂକ୍ରମିତ !

ବର୍ତ୍ତମାନ ସୁଦ୍ଧା ମିଳିଥିବା ଅଧ୍ୟୟନ ଅନୁସାରେ, କରୋନା ଆକ୍ରାନ୍ତଙ୍କଠାରେ ସାଧାରଣ ରୋଗ ତଥା ଥଣ୍ଡା, କାଶ, ସଦ୍ଦି କିମ୍ବା ଭାଇରାଲ ଜ୍ୱର ଭଳି ଲକ୍ଷଣ ଦେଖାଦେଇଥାଏ । ମୌସୁମୀ ଜ୍ୱର ତଥା ଫ୍ଲ ୁହେବା ଦ୍ୱାରା ଶରୀରରେ ଆଂଟିବଡି ବିକଶିତ ହୋଇଥାଏ ଏବଂ ସମୟ ସହିତ ତାହା ଆପଣା ଛାଏଁ କମିଯାଇଥାଏ । ଯେଉଁ କାରଣରୁ ଅଧିକାଂଶ ଲୋକେ ପାଗ ବଦଳିବା ସହ ଅସୁସ୍ଥ ହୋଇପଡନ୍ତି । ସେହିଭଳି ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ, କରୋନା ବିରୁଦ୍ଧରେ ଶରୀରରେ ସୃଷ୍ଟି ହୋଇଥିବା ଆଂଟିବଡି ମଧ୍ୟ ସାଧାରଣ ଥଣ୍ଡା ଜ୍ୱର ଭଳି ରିଆକ୍ଟ କରିଥାଏ । ଯାହାକି ୩ ମାସ ମଧ୍ୟରେ ଆପେ ଆପେ ନଷ୍ଟ ହୋଇଯାଇଥାଏ । ଅର୍ଥାତ୍ ୩ ମାସ ପରେ ସୁସ୍ଥ କରୋନା ଆକ୍ରାନ୍ତ ପୁନର୍ବାର ସଂକ୍ରମିତ ହେବାର ସମ୍ଭାବନା ମଧ୍ୟ ରହିଛି ।