ରାଜ୍ୟ ବଜେଟ ଉପରେ ପଡିପାରେ କରୋନା ପ୍ରଭାବ: ୨୦୨୦-୨୧ ଆର୍ଥିକ ବର୍ଷରେ ୨୫%ରୁ ୪୦% ରାଜସ୍ୱ କ୍ଷତି ଆଶଙ୍କା; ଓଡିଶା ଆଲୋଚନା ଚକ୍ର ୱେବନାରରେ ମତପ୍ରକାଶ

ପୂର୍ବତନ ମୁଖ୍ୟ ଶାସନ ସଚିବ କହିଲେ, ଟଙ୍କା ଋଣ କରିବା ଛଡା ରାଜ୍ୟ ସରକାରଙ୍କ ପାଖରେ ଆଉ କିଛି ବିକଳ୍ପ ନାହିଁ

128

କନକ ବ୍ୟୁରୋ: ରାଜ୍ୟର ବଜେଟ ଉପରେ କରୋନା ମାଡ । କରୋନା ସଂକ୍ରମଣ ଏବଂ ଏହା ଜନିତ ଲକଡାଉନ ବା ତାଲାବନ୍ଦର ସିଧା ପ୍ରଭାବ ପଡିବ ରାଜ୍ୟ ବଜେଟ ଉପରେ । ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୨୫ ପ୍ରତିଶତରୁ ୪୦ ପ୍ରତିଶତ ଲକ୍ଷ ରହିଥିବା ବଜେଟଠାରୁ କମ ହେବ । ଓଡିଶା ଆଲୋଚନା ଚକ୍ର ଦ୍ୱାରା ଆୟୋଜିତ ୱେବନାରରେ ଏହି ମତ ପ୍ରକାଶ ପାଇଛି । ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ର ଏବଂ ଏନଆଇପିଏଫପି ପ୍ରଫେସର ଡକ୍ଟର ତାପସ ସେନ କହିଛନ୍ତି, ଟଙ୍କା ଋଣ କରିବା ଛଡା ଓଡିଶା ସରକାରଙ୍କ ପାଖରେ ଆଉ କିଛି ବିକଳ୍ପ ନାହିଁ । ଋଣ କରିବା ଦ୍ୱାରା ପ୍ରବାସୀ ଶ୍ରମିକଙ୍କ ଆବଶ୍ୟକତା, ସ୍ୱାସ୍ଥ୍ୟ ସେବା ଏବଂ ଅନ୍ୟାନ୍ୟ ଯୋଜନାରେ ଅର୍ଥ ଖର୍ଚ୍ଚ କରିହେବ ।

ଅକ୍ସଫାମ ଇଣ୍ଡିଆର ପବ୍ଲିକ ଫାଇନାନ୍ସ ଆନାଲିଷ୍ଟ କହିଛନ୍ତି, କରୋନା ସଂକ୍ରମଣ ଏବଂ ତାଲା ବନ୍ଦ କାରଣରୁ ଏପ୍ରିଲ ମାସରୁ ଜୁନ ମାସ ମଧ୍ୟରେ ଅର୍ଥନୈତିକ କାରବାର ମାନ୍ଦା ପଡିଛି । ଏହି ସମୟ ମଧ୍ୟରେ ରାଜ୍ୟ ସରକାର ମାତ୍ର ୬୦ ପ୍ରତିଶତ ରାଜସ୍ୱ ସଂଗ୍ରହ କରିବାରେ ସକ୍ଷମ ହୋଇପାରିଛନ୍ତି । ଯଦି ରାଜସ୍ୱ ସଂଗ୍ରହର ଏହି ପ୍ରକ୍ରିୟା ଏହିପରି ଗତିରେ ଜାରି ରହେ ତେବେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ରାଜସ୍ୱ ୪୯ହଜାର୬୦୦ କୋଟି କମିଯିବ ଯାହାକି ବଜେଟ ଟାର୍ଗେଟ ୧ଲକ୍ଷ ୨୪ହଜାର କୋଟିର ୪୦ ପ୍ରତିଶତ । ତେବେ ପରବର୍ତି ସମୟରେ ଏଥିରେ ସୁଧାର ମଧ୍ୟ ଆସିବ । ଆଶା କରାଯାଉଛି ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହି ସୁଧାର ଆସିବ । ଯାହା ହେଲେ ବି ୧୭ହଜାର କୋଟିର ନିଅଂଟ ଦେଖାଦେବ ବୋଲି ସେ କହିଛନ୍ତି ।