ଇଟାଲିରେ ‘କରୋନା’ର ସ୍ଥିତି ସବୁଠୁ ଜଟିଳ । ରବିବାର ଗୋଟିଏ ଦିନରେ ରେକର୍ଡ ୬୫୧ ମୃତ୍ୟୁ । ଶବ ସଂସ୍କାର ପାଇଁ ମିଳୁନି ଜାଗା

4,970

କନକ ବ୍ୟୁରୋ: ବିଶ୍ୱରେ କରୋନା ସଂକ୍ରମଣ ଏବେ ୧୮୮ଟି ଦେଶକୁ ବ୍ୟାପିଲାଣି । ଏହାରି ମଧ୍ୟରେ ରହିଛି ୫ଟି ଦେଶ ଯେଉଁଠାରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ଚୀନ, ଇଟାଲି, ଆମେରିକା, ସ୍ପେନ୍ ଓ ଜର୍ମାନୀ ରେ ଏପରି ସ୍ଥିତି ରହିଛି । ବିଶ୍ୱରେ ୩ ଲକ୍ଷ ୩୨ ହଜାର ୧୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୪ ହଜାର ୪୩୬କୁ ବୃଦ୍ଧି ପାଇଛି । ସେହିପରି ଚିକିତ୍ସା ପରେ ବିଶ୍ୱରେ ୯୬ ହଜାର ୯୫୮ ଜଣ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଇଟାଲିରେ କରୋନା ଭୂତାଣୁ ସ୍ଥିତି ସବୁଠାରୁ ଅଧିକ ସଂବେଦନଶୀଳ ରହିଛି । କାରଣ ଏଠାରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

ରବିବାର ଗୋଟିଏ ଦିନରେ ଇଟାଲିରେ ୬୫୧ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକି ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କୌଣସି ଦେଶରେ ଗୋଟିଏ ଦିନରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ସର୍ବାଧିକ । ଏହାକୁ ମିଶାଇ ଇଟାଲିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୫ ଶହ ଅତିକ୍ରମ କରିଛି । ଇଟାଲିରେ ଏବେ ସ୍ଥିତି ଏପରି ଯେ ଶବଦାହ କରିବାକୁ ସ୍ଥାନ ଅଭାବ ପଡିଲାଣି । ତେଣୁ କରୋନାରେ ମୃତ୍ୟୁ ପରେ ଇଟାଲିରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାନଯାଇ ସେନାକୁ ହସ୍ତାନ୍ତର କରାଯାଉଛି ।

ସେହିପରି ଦକ୍ଷିଣ କୋରିଆରେ ଗୋଟିଏ ଦିନରେ ୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫ୍ରାନ୍ସରେ ରବିବାର ଗୋଟିଏ ଦିନରେ ୧୧୨ ଜଣଙ୍କ ମୃତ୍ୟୁ କରୋନାରେ ହୋଇଛି । ପାକିସ୍ତାନରେ କରୋନା ଆକ୍ରାନ୍ତ ସଂଖ୍ୟା ୬୪୫ ପହଁଚିବା ପରେ ଅନେକ ସହରକୁ ଲକଡାଉନ୍ କରିଛନ୍ତି ପାକିସ୍ତାନ ସରକାର ।