କରୋନା ସଂକ୍ରମଣ : ଆମେ ଆମ ନିଜ ପାଖରେ ଉତ୍ତରଦାୟୀ

156

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଓ ସେଥିଯୋଗୁଁ ମୃତ୍ୟୁର ହାର ବଢ଼ି ଚାଲିଥିବାବେଳେ ଅଧିକାଂଶ ଲୋକ ସରକାର ଓ ବ୍ୟବସ୍ତାକୁ ସମାଲୋଚନା କରି ନିଜର କର୍ତ୍ତବ୍ୟ ‌ଶେଷ କରୁଛନ୍ତି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସଂଖ୍ୟାରେ ହସ୍‌ପିଟାଲ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ, ବେଡ୍, ଔଷଧ ଓ ଅକ୍ସିଜେନ ଆଦିର ଅଭାବ ପାଇଁ ସରକାରଙ୍କୁ ଦୋଷ ଦେବା ଯଦିଓ ସ୍ବାଭାବିକ ଓ ଯୁକ୍ତିଯୁକ୍ତ, କିନ୍ତୁ ବ୍ୟକ୍ତିଗତ ସ୍ତରରେ ଲୋକମାନଙ୍କର ଅବହେଳା ମଧ୍ୟ ଆଜିର ଏହି ଦୁଃସମୟ ପାଇଁ ଦାୟୀ। ଦରକାରୀ ସମୟରେ ଲୋକେ ଆବଶ୍ୟକ ମାତ୍ରାରେ ସଚେତନ ହୋଇ କରୋନା କଟକଣା ମାନିବାରେ ଓ ଡାକ୍ତରଙ୍କ ପରାମର୍ଶ ନେବାରେ ଅବହେଳା କରୁ ନଥିଲେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜିଭଳି ଆତଙ୍କଜନକ ହୋଇ ନଥାଆନ୍ତା।

ଆଶ୍ଚର୍ଯ୍ୟର କଥା ହେଉଛି, ଆଜିମଧ୍ୟ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ଭାବୁଛନ୍ତି, କରୋନା ବୋଲି ପ୍ରକୃତରେ କିଛି ନାହିଁ! ଏସବୁ ଏକ ଅପପ୍ରଚାର ଓ ଷଡ଼ଯନ୍ତ୍ର! ଆଜି ମଧ୍ୟ ଅନେକ ଲୋକ ଅଛନ୍ତି, ଯେଉଁମାନେ ଭାବୁଛନ୍ତି- ‘‘ଆମ ଦେହ ତ ପୂରା ସୁସ୍ଥ ଅଛି, ଆମର କିଛି ହେବନାହିଁ।’’ ବା ‘‘କରୋନା ସେଇ ବଡ଼ବଡ଼ିଆ ବା ବିଦେଶୀ ଲୋକଙ୍କୁ ହେଉଛି, ଆମଭଳି ପୂରା ଦେଶୀଲୋକଙ୍କର ଏ ବିବଦରେ ଇମ୍ୟୁନିଟି ଭାରି ଶକ୍ତ।’’ ଆଉ କିଛି ଭାବୁଛନ୍ତି- ‘‘ମତେ କେବେ ଥଣ୍ଡା ସର୍ଦ୍ଦି ହୁଏନାହିଁ, ତେଣୁ କରୋନା ବି ହେବନି।’’ ବା ‘‘ଆମେ ତ ଦିନସାରା ଝାଳନାଳ ହେଇକି ଖରାରେ କାମ କରୁଛୁ, କରୋନା ଆମର କ’ଣ କରିବ!’’ ଆଉ କିଛି ଅତ୍ୟୁତ୍ସାହୀ ଲୋକ ଭାବୁଛନ୍ତି- ‘‘ମନ ଦୁର୍ବଳ ହେଲେ ରୋଗ ମାଡ଼ି ବସିବ। ମନକୁ ଦୃଢ଼ କଲେ କିଛି ହେବନି।’’

ଏମାନଙ୍କ ସହିତ ଏ ଯୁଗରେ ଏପରିବି ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଦାବି କରନ୍ତି- ‘‘ଆମେ ତ ଜୀବନରେ ଅନ୍ୟାୟରେ ପଇସାଟିଏ ବି ପକେଟରେ ପୂରାଇନାହୁଁ କି କାହାପ୍ରତି ଅନ୍ୟାୟ କରିନୁ, କରୋନା ଆମକୁ କାହିଁକି ହେବ! ପାପୀମାନେ ହିଁ ଏ ରୋଗରେ ପଡ଼ିବେ।’’ କିନ୍ତୁ ଏସବୁ ମିଛ ଆତ୍ମବିଶ୍ବାସ ଯେ କରୋନା ଆଗରେ ଆଦୌ କାମ ଦେଉନାହିଁ, ତାହା ପ୍ରତିଦିନ ପ୍ରମାଣିତ ହୋଇ ଚାଲିଛି। ତଥାପି ଅନେକ ଲୋକ ଏ ସତ୍ୟ ଶହେ ପ୍ରତିଶତ ନିଶ୍ଚିତ ବା ସଚେତନ ହୋଇ ନାହାନ୍ତି। ଏପରିକି କରୋନା ସଂକ୍ରମିତ ହେବା ପରେ ମଧ୍ୟ ଅନେକ ଲୋକ ଦାୟିତ୍ବବାନ ହେଉ ନାହାନ୍ତି। ହେଳା କରୁଛନ୍ତି।

ଲୋକଟିଏ କରୋନା ପଜିଟିଭ୍ ହେବାପରେ ଡାକ୍ତରଖାନାକୁ ଆସିଲେ, ଆମେ ଜାଣୁଛୁ। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ‌ତାକୁ ସାମିଲ କରୁଛୁ। ଅଧିକାଂଶ ସାଧାରଣ ଲୋକ କରୋନା ପଜିଟିଭ୍ ହୋଇ ଡାକ୍ତରଖାନାରେ ପହଞ୍ଚିବା ଭିତରେ ପ୍ରାୟତଃ ଏକ ସମାନ ପ୍ରକ୍ରିୟା ବା ସ୍ତର ଭିତର ଦେଇ ଆସୁଛନ୍ତି। ସେ ପ୍ରକ୍ରିୟାଟିକୁ ନିମ୍ନମତେ ବର୍ଣ୍ଣନା କରା ଯାଇପାରେ:

ଦିନ-୧: ‘‘ଅବଶ୍ୟ ଟିକେ ଜ୍ବରଜ୍ବର ଲାଗୁଛି। ସାଧାରଣ ଥଣ୍ଡା ମ! ଇଏ ଆଦୌ କରୋନା ନୁହେଁ, କରୋନା କୋଉଠୁ ଆସିବ!!’’

ଦିନ-୨: ‘‘ଅବଶ୍ୟ ଜ୍ବରଟା ଛାଡୁନି, କିନ୍ତୁ ଇଏ କରୋନା ବୋଲି କିଏ କହିଲା! ଏମିତି ତ ମତେ ବର୍ଷକୁ ଦୁଇ ତିନିଥର ହୁଏ, ପାରାସିଟାମଲ ଖାଇଦେଲେ ଭଲ ହେଇଯାଏ। ଏଥର ବି ହେବ। ସାଧାରଣ ଜ୍ବରକୁ ନେଇ ଏତେ ଛାନିଆ!’’

ଦିନ-୩: ‘‘ତିନିଦିନ ହେଇଗଲା। କରୋନା ଟେଷ୍ଟ କରିବା କିନ୍ତୁ କିଛି ଦରକାର ନାହିଁ, ସିଟି ସ୍କାନ୍ କଲେ ସବୁ ଧରା ପଡ଼ିଯିବ।’’

ତୃତୀୟ ଦିନ ସିଟି ସ୍କାନ୍‌ କଲେ କିଛି ସମସ୍ୟା ଅଛି ବୋଲି ପ୍ରାୟତଃ ଜଣା ପଡ଼ିବନି, ତେଣୁ ଲୋକଟି ମନେ ମନେ ନିଶ୍ଚିତ – ଇଏ କରୋନା ନୁହେଁ।

ଦିନ-୪: ‘‘ଜ୍ବରକୁ ଚାରିଦିନ ହେଇଗଲା। ଟାଇଫଏଡ୍‌ ହେଇପାରେ! ରକ୍ତ ପରୀକ୍ଷା କରେଇନେଲେ ହେବ।’’

ଏହି ସମୟରେ ରକ୍ତ ପରୀକ୍ଷା କଲେ ଭୁଲ୍‌ରେ ଟାଇଫଏଡ୍‌ ପଜିଟିଭ୍ ଆସିଲେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ। ତେଣୁ ଲୋକଟି ତଥାପି ନିଶ୍ଚିତ ଥିବ ଯେ ତା’କୁ କରୋନା ହେଇନାହିଁ।

ଦିନ-୫: ‘‘ଦେଖ, ମୁଁ କହୁଥିଲି ନା ମତେ ଟାଇଫଏଡ୍ ହିଁ ହେଇଥିବ! ରକ୍ତ ପରୀକ୍ଷା ସେଇକଥା ହିଁ କହୁଛି। ଟାଇଫଏଡ୍‌ରେ ପୂର୍ବରୁ ମୁଁ ଯୋଉ ଆଣ୍ଟିବାଓଟିକ୍ସ ଖାଉଥିଲି, ସେଇଆକୁ ଦୋକାନରୁ କିଣିକି ଖାଇବି। ଏ ବିଷୟରେ ମୋ’ର ୨୦ ବର୍ଷର ଅଭିଜ୍ଞତା, ଡାକ୍ତରଙ୍କ ପାଖକୁ ଯିବା କିଛି ଦରକାର ନାହିଁ।’’

ଦିନ-୬: ‘‘ଆଜି ବି ଜ୍ବର ଛାଡୁନି। କିନ୍ତୁ ମୁଁ ତ ଗତକାଲି ହିଁ ଆଣ୍ଟିବାଓଟିକ୍ସ ଖାଇବା ଆରମ୍ଭ କରିଛି। ସାଙ୍ଗେ ସାଙ୍ଗେ କ’ଣ ଫଳ ମିଳିବ! ଟିକେ ଅପେକ୍ଷା କରିଯିବା।’’

ଦିନ-୭: ‘‘ସାତଦିନ ହେଇଗଲା ଜ୍ବରକୁ। ଜଣେ ଡାକ୍ତର ସାଙ୍ଗ ସାଥିରେ କଥା ହେଲି। ସେ କହୁଛି ପିସିଆର୍‌ ଟେଷ୍ଟ କରେଇ ନେବାକୁ।’’ ପିସିଆର୍‌ ଟେଷ୍ଟର ରିପୋର୍ଟ ଆସିବାଲାଗି ଅତିକମ୍‌ରେ ୨୪-୪୮ ଘଣ୍ଟା ଲାଗିବ।

ଦିନ-୮: ‘‘ଓଃ, ନିଶ୍ବାସ ନେବାରେ କଷ୍ଟ ଆରମ୍ଭ ହେଇଗଲାଣି। ଡାକ୍ତରଖାନାକୁ ଯିବାକୁ ପଡ଼ିବ…।’’ ହେଲେ ଏ ପର୍ଯ୍ୟନ୍ତ କରୋନା ଟେଷ୍ଟ ରିପୋର୍ଟ ନାହିଁ ପାଖରେ।

ଦିନ-୯: ଅକ୍ସିଜେନ ୯୫ ପ୍ରତିଶତରୁ କମ୍। ଡାକ୍ତରଖାନାରେ ଦିନେ ଅପେକ୍ଷା କଲାପରେ କୋଭିଡ ରିପୋର୍ଟ ଆସିଲା- ପଜିଟିଭ୍। ହେଲେ ହସ୍ପିଟାଲରେ ସେତେବେଳକୁ ଗୋଟିଏ ହେଲେ ବେଡ୍ ଫାଙ୍କା ନାହିଁ। ‘‘କି ଦେଶ ଇଏ ଦେଖ- ହସ୍‌ପିଟାଲରେ ଗୋଟିଏ ହେଲେ ବେଡ୍ ଫାଙ୍କା ନାହିଁ!!’’ – ସରକାରଙ୍କ ଉପରେ ମନେମନେ, ପ୍ରକାଶ୍ୟ ଓ ସୋସିଆଲ ମିଡିଆରେ ଶୋଧଣା ଆରମ୍ଭ ହୋଇଗଲା।

ଦିନ-୧୦: ଅକ୍ସିଜେନର ସ୍ତର ୯୦ରୁ କମ୍। କୌଣସିମତେ ବେଡ୍ ମିଳିଗଲା। ହେଲେ ଯନ୍ତ୍ରଣା କମିଲାନି। ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ଉପରେ ମନେମନେ, ପ୍ରକାଶ୍ୟ ଓ ସୋସିଆଲ ମିଡିଆରେ ଗାଳି ଆରମ୍ଭ।

ଦିନ- ୧୧: ଭେଣ୍ଟିଲେଟର ଲାଗିଲା।

ଦିନ-୧୨: ମୃତ୍ୟୁ। ପରିବାର ସଦସ୍ୟ ଓ ବନ୍ଧୁମାନେ ଡାକ୍ତରଙ୍କୁ ମାଡ଼ ମାରିବାକୁ ବାହାରି ପଡ଼ିଲେ। ଗଣମାଧ୍ୟମରେ ହସ୍ପିଟାଲ, ପ୍ରଶାସନ ଓ ସରକାରଙ୍କୁ କଡ଼ା ସମାଲୋଚନା ଆରମ୍ଭ ହୋଇଗଲା।

ଏ ହେଉଛି ଅନେକ କରୋନା ଆକ୍ରାନ୍ତଙ୍କ କାହାଣୀ। ପ୍ରଥମରୁ ସଚେତନ, ସତର୍କ ଓ ଯତ୍ନଶୀଳ ହୋଇଥିଲେ ହୁଏତ କରୋନା ସଂକ୍ରମଣକୁ ମୂଳରୁ ଏଡ଼ାଇ ଦେଇ ହୋଇଥାଆନ୍ତା! ତା’ପରେ ସଂକ୍ରମିତ ହେଲେ ବି ମାମଲା ଏତେବାଟ ଆଗେଇ ନଥାଆନ୍ତା! ଜୀବନ ଆମର, ଏହାପ୍ରତି ପ୍ରଥମ କର୍ତ୍ତବ୍ୟ ଆମର।

Comments are closed.