କରୋନା ସାଜିଲା କାଳନାଗୁଣୀ : ମା’ ଠାରୁ ଝିଅକୁ ଦୂର କରିଦେଲା କରୋନା , ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ହୃଦୟସ୍ପର୍ଶୀ ଭିଡିଓ ।

920

ଚୀନ୍ ରେ ଭୟଙ୍କର ମହାମାରୀର ତାଣ୍ଡବ ଖେଳାଇଛି କରୋନା ଭାଇରସ୍ । ଏବେ ପର୍ଯ୍ୟନ୍ତ ୮୦୩ ଜଣ ଲୋକ କାଳରେ କୋଳରେ ଶୋଇଗଲେଣି ଏବଂ ହଜାରରୁ ଅଧିକ ଲୋକ ପୀଡିତ ଅଛନ୍ତି । ଚୀନ୍ ରେ କରୋନା ଖାଲି ଲୋକଙ୍କ ଜୀବନ ନେଉନି, ଜିଇଁ ଥାଉ ଥାଉ ଲୋକଙ୍କ ସଂପର୍କକୁ ମଧ୍ୟ ମାରିଦେଉଛି ଏହି ଭାଇରସ୍ । ବାପାକୁ ଭାଇରସ୍ ଆକ୍ରାନ୍ତ କରିଥିଲେ ପୁଅ ପାଖକୁ ଯାଇପାରୁନି , ମା’କୁ ଆକ୍ରାନ୍ତ ହେଲେ ଝିଅ ପାଖକୁ ଯାଇପାରୁନି । ପରିବାର , ସାଙ୍ଗସାଥି ଛେଉଁଣ୍ଡ କରିଦେଉଛି କରୋନା ।

ସେହିଭଳି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଯେଉଁଥିରେ କରୋନାର କରୁଣ ଚିତ୍ର ଦେଖିବାକୁ ମିଳିଛି । ଚୀନ୍ ର ହେନାନାରୁ ଏହି ହୃଦୟସ୍ପର୍ଶୀ ଭିଡିଓଟି ଭାଇରାଲ୍ ହେଉଛି । ଯେଉଁଥିରେ କରୋନା ଭାଇରସ୍ ରେ ଆକ୍ରାନ୍ତ ମା’ ନିଜ ଝିଅକୁ ଶେଷଥର ପାଇଁ ଜାବୁଡି ଧରିପାରୁନି , ତାକୁ ଗେଲ କରି ବିଦାୟ ଦେଇପାରୁନି । ମମତାକୁ ଜାହିର କରିବା ପାଇଁ ଦୂରରେ ରହି ଝିଅକୁ ପ୍ରେମପୂର୍ଣ୍ଣ ବିଦାୟ ଦେଉଛି ମା’, ଯାହାର ମାଧ୍ୟମ ପାଲଟିଛି “ଉଡନ୍ତା ଆଲିଙ୍ଗନ” ବା “ଏୟାର ହଗ୍” । ମା’ ଝିଅ ଦୁହିଁଙ୍କ ଆଖିରେ କୋହଭରା ଲୁହ । ଉପସ୍ଥିତ ଥିବା ଡାକ୍ତର ଏବଂ ଅନ୍ୟ ଲୋକମାନେ ମଧ୍ୟ ଏହି ଦୃଶ୍ୟ ଦେଖି ନିଜ ଆଖିକୁ ଓଦା ହେବାକୁ ରୋକିପାରିନାହାନ୍ତି । ମହିଳା ଜଣକ ହସ୍ପିଟାଲରେ ନର୍ସ କାମ କରୁଥିବା ବେଳେ ସମ୍ପୁର୍ଣ୍ଣ ହସ୍ପିଟାଲ୍ କରୋନା ଭୁତାଣୁ ଆକ୍ରାନ୍ତରେ ଆସିଯାଇଛି । ଝିଅ ମା’ ପାଇଁ ଘରୁ ରୋଷେଇ କରି ମଧ୍ୟାହ୍ନ ଭୋଜନ ନେଇଆସିଛି କିନ୍ତୁ ମା’ କୁ ଖୁଆଇପାରୁନାହିଁ , କି ପାଖକୁ ଦେବାକୁ ଯାଇପାରୁନି । ମା’ ଝିଅଙ୍କ ମମତା ଭିତରେ ଆସିଯାଇଛି କରୋନା ରୁପକ କାଳନାଗୁଣୀ ।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଝିଅ ମା’ ପାଇଁ ଲଞ୍ଚ୍ ବାକ୍ସ ନେଇ ଆସିଛି କିନ୍ତୁ ତାକୁ ମା’ ପାଖକୁ ଯାଇ ଖାଦ୍ୟ ଦେବାକୁ ଅନୁମତି ଦିଆଯାଉନାହିଁ ତେଣୁ ଦୂରରେ ସେ ଖାଦ୍ୟ ରଖୁଛି । ମା’ ଝିଅକୁ ଇସାରାରେ କହୁଛନ୍ତିି ଯେ , ଯେତେବେଳେ ସେ କରୋନା ଆକ୍ରାନ୍ତରୁ ସମ୍ପୁର୍ଣ୍ଣ ଭଲ ହୋଇଯିବେ ସେତେବେଳେ ନିଜେ ଝିଅକୁ ଆଲିଙ୍ଗନ କରିବାକୁ ଚାଲିଆସିବେ ।