ମଣିଷ ଦେହରେ ଟୀକା ପରୀକ୍ଷା । କରୋନା ଭ୍ୟାକସିନ୍ ପ୍ରସ୍ତୁତିରେ ଆଉ ପାଦେ ଆଗେଇଲା ବିଟ୍ରେନ୍ , ଅକ୍ସଫୋର୍ଡ ୟୁନିଭରସିଟିର ପରୀକ୍ଷଣ ସଫଳ ହେଲେ ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇପାରିବ ୧୦ ଲକ୍ଷ ଡୋଜ୍ ।

2,151

କନକ ବ୍ୟୁରୋ: କରୋନାକୁ ରୋକିବ ଟୀକା । ମହାମାରୀକୁ ମାତ୍ ଦେବ ଔଷଧ । ସାରା ବିଶ୍ୱ କରୋନାର ସଙ୍କଟ ଭିତରେ ବୁଡି ରହିଥିବା ବେଳେ ଏଥିରୁ ଉଦ୍ଧାର କରିବାକୁ ବ୍ରିଟେନ୍ ବାହାର କରୁଛି ଟିକା । ଆମେରିକା ପରେ ବ୍ରିଟେନ୍ ମଣିଷ ଦେହରେ ପରୀକ୍ଷା ମୂଳକ ଭାବେ ଟିକା ପ୍ରୟୋଗ କରିଛି । ଏବଂ ଏହି ପରୀକ୍ଷା ସଫଳ ହେବ ବୋଲି ବିଶେଷଜ୍ଞ ଆଶା ରଖିଛନ୍ତି । ବଡ କଥା ହେଉଛି, ବିଶ୍ୱର ବିଭିନ୍ନ ସ୍ଥାନରେ ଟିକା ପାଇଁ ଉତ୍ପାଦନ ବି ଆରମ୍ଭ ହୋଇଗଲାଣି । ମଣିଷ ଦେହରେ ଟିକାର ପରୀକ୍ଷଣ ସଫଳ ହେଲେ ଆସନ୍ତା ୬ ମାସ ମଧ୍ୟରେ ବଜାରକୁ ଆସିଯିବ କରୋନା ଟିକା ।

ମାରାତ୍ମକ କରୋନା ଭୂତାଣୁକୁ ରୋକିବା ପାଇଁ ଟିକା ପ୍ରସ୍ତୁତ କରିଛି ବ୍ରିଟେନ୍ । ଆମେରିକା ପରେ ବ୍ରିଟେନ୍ ପ୍ରଥମଥର ପାଇଁ ଏହି ଟିକାର ପରୀକ୍ଷା କରିଛି । ମଣିଷ ଦେହରେ ଟିକାକୁ ପ୍ରୟୋଗ କରାଯାଇଛି । ଏବଂ ଏଥିରେ ୮୦ ପ୍ରତିଶତ ସଫଳତା ମିଳିବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ । ଅକ୍ସଫୋର୍ଡ ୟୁନିଭରସିଟିର ପ୍ରଫେସର ସାରା ଗିଲବର୍ଟଙ୍କ ନେତୃତ୍ୱରେ ଗଠିତ ଟିମ୍ ପୂର୍ବରୁ ଏହି ଟୀକାର ୧୨ ଥର ପରୀକ୍ଷା କରିସାରିଛି । ଏବଂ ପ୍ରଥମରୁ ହିଁ ଏହା ରୋଗ ପ୍ରତିରୋଧକ ଶକ୍ତି ଉପରେ କାମ କରିବାରେ ସଫଳ ହୋଇଥିଲା । ଏହାପରେ କ୍ଲିନିକାଲ ଟେଷ୍ଟିଂ କରାଯାଇ ଟୀକାକୁ ମନୁଷ୍ୟ ଦେହରେ ପ୍ରୟୋଗ କରିବା ପାଇଁ ସ୍ଥିର କରାଯାଇଥିଲା ।

ବ୍ରିଟେନ୍ରେ କରୋନାର ପ୍ରକୋପକୁ ନଜରରେ ରଖି ଦେଶର ବିଭିନ୍ନ ସ୍ଥାନରେ ୫ଶହରୁ ଅଧିକ ସୁସ୍ଥ ସ୍ୱେଚ୍ଛାସେବୀଙ୍କୁ ନେଇ ଅଧ୍ୟୟନ ଚାଲିଥିଲା । ପ୍ରାଥମିକ ପର୍ଯ୍ୟାୟରେ ୧୮ରୁ ୫୫ ବର୍ଷ ବୟସର କିଛି ଜଣଙ୍କ ଦେହରେ ଏହି ଟିକା ପରୀକ୍ଷା କରାଯାଇଛି । ଟୀକାକରଣର ପୁରା ପ୍ରକ୍ରିୟା ୬ ମାସ ଯାଏ ଚାଲିପାରେ । ବଡ କଥା ହେଉଛି କ୍ଲିନିକାଲ୍ ଟ୍ରାଏଲ ସରିବା ପୂର୍ବରୁ କୋଭିଡ-୧୯ର ଏହି ଟୀକାର ବିଶ୍ୱର ବିଭିନ୍ନ ସ୍ଥାନରେ ଉତ୍ପାଦନ ଆରମ୍ଭ ହୋଇଯାଇଥିଲା । ଏବେ ଯଦି ଏହି ଟୀକା ମନୁଷ୍ୟ ଦେହରେ ସଫଳ ହୁଏ ତେବେ ସେପ୍ଟେମ୍ବର ସୁଦ୍ଧା ଏହାର ୧୦ ଲକ୍ଷ ଡୋଜ୍ ପ୍ରସ୍ତୁତ ହୋଇଯିବ ।

କେମିତି ତିଆରି ହୁଏ ଟୀକା?
– ଶରୀରରେ ରୋଗ ସୃଷ୍ଟି କରୁଥିବା ଭୂତାଣୁରୁ ଟିକା ପ୍ରସ୍ତୁତ ହୁଏ
– ଭୂତାଣୁର ଦୁର୍ବଳ ଅଣୁ ‘ଏଂଟିଜେନ’କୁ ଟିକାରେ ବ୍ୟବହାର କରାଯାଏ
– ଦୁର୍ବଳ ହୋଇଥିବାରୁ ଏହା ମଣିଷ ଶରୀର ଉପରେ କୁପ୍ରଭାବ ପକାଏନାହିଁ
– ଶରୀରର ରୋଗ ପ୍ରତିରୋଧକ ଶକ୍ତି ‘ଆଂଟିବଡି’ ପ୍ରସ୍ତୁତ କରିଥାଏ
– ଏହି ଆଂଟିବଡି ମଣିଷ ଶରୀରକୁ ଆସୁଥିବା ସାମାନ୍ୟ ଭୂତାଣୁକୁ ନଷ୍ଟ କରିଦିଏ

ଟିକା ପ୍ରସ୍ତୁତି ପାଇଁ ୪ଟି ପର୍ଯ୍ୟାୟ ଦେଇ ଗତି କରିବାକୁ ପଡିଥାଏ ।
ପ୍ରଥମ ପର୍ଯ୍ୟାୟ
-ଟିକାପ୍ରସ୍ତୁତିର ପ୍ରଥମ ପର୍ଯ୍ୟାୟରେ ଟିକାର ପ୍ରଭାବ ଓ ସୁରକ୍ଷା ଆକଳନ କରାଯାଏ
-କରୋନା ଟିକା ପ୍ରସ୍ତୁତିର ପ୍ରଥମ ପର୍ଯ୍ୟାୟ ପାଇଁ ୩ ମାସ ସମୟ ଲାଗିପାରେ
ଦ୍ୱିତୀୟ ପର୍ଯ୍ୟାୟ
-ଦ୍ୱିତୀୟ ପର୍ଯ୍ୟାୟରେ ମଣିଷ ଶରୀରରେ ଟିକା ପ୍ରୟୋଗ କରାଯାଏ
-ଏଥିପାଇଁ ୮ ମାସରୁ ୩ ବର୍ଷ ସମୟ ଲାଗିପାରେ
ତୃତୀୟ ପର୍ଯ୍ୟାୟ
– ତୃତୀୟ ପର୍ଯ୍ୟାୟରେ ଟିକାର ପ୍ରଭାବ ଜାଣିବା ପାଇଁ ହଜାର ହଜାର ଲୋକଙ୍କ ଉପରେ ଟିକାର ପ୍ରୟୋଗ କରାଯାଏ
-ଏଥିପାଇଁ ୨ରୁ ୪ ବର୍ଷ ସମୟ ଲାଗିପାରେ
– ତିନିଟି ପର୍ଯ୍ୟାୟ ପରେ ଟିକାର ସଫଳତା ଆଧାରରେ ସରକାର ମଂଜୁରୀ ଦେଇଥାନ୍ତି ।
ଚତୁର୍ଥ ପର୍ଯ୍ୟାୟ
-ତିନିଟି ପର୍ଯ୍ୟାୟରେ ସଫଳତା ମିଳିବା ପରେ ଚତୁର୍ଥ ପର୍ଯ୍ୟାୟରେ ଟିକା ବଜାରକୁ ଆସିଥାଏ

ମହାମାରୀ କରୋନା ଭୂତାଣୁ ବିଶ୍ୱର ବଡ ବଡ ନେତାଙ୍କୁ ସଂକ୍ରମିତ କରିଛି । ଖୋଦ୍ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ କରୋନାର ଶୀକାର ହୋଇଥିଲେ । ଏବେ ସାରା ବିଶ୍ୱରେ କରୋନାର ସଙ୍କଟ ଦେଖାଦେଇଥିବା ବେଳେ ବ୍ରିଟେନର ଏହି ପରୀକ୍ଷାରୁ ଖୁବଶୀଘ୍ର ବଡ ଧରଣର ଆଶ୍ୱସ୍ତି ମିଳିବା ସମ୍ଭାବନା ରହିଛି ।