ପ୍ରସ୍ତୁତ ହେଲା କରୋନାର ନିରାକରଣ ! ଆଗାମୀ ମାସରୁ ମଣିଷଙ୍କ ଉପରେ ହେବ ପରୀକ୍ଷଣ , ଭୁତାଣୁ ରୋକିବାରେ ସକ୍ଷମ ହେବ କି ଟିକା ?

5,271

ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନାର ନିରାକରଣ ଖୋଜି ସାରିଛନ୍ତି ଡାକ୍ତର । ଡେଲି ମେଲ୍ ରେ ପ୍ରକାଶିତ ଏକ ଖବର ଅନୁସାରେ , ଆମେରିକା ଏବଂ ୟୁକେର ବୈଜ୍ଞାନିକମାନେ ଆଗାମୀ ମାସରୁ ମଣିଷଙ୍କ ଉପରେ କରୋନା ଭାଇରସ ଇଞ୍ଜେକସନ୍ ପରୀକ୍ଷଣ କରିବେ । ଏହାର ଅର୍ଥ ବୈଜ୍ଞାନିକମାନେ ଏହି ଭୟାବହ ଭୁତାଣୁର ନିରାକରଣ ଖୋଜି ସାରିଲେଣି । ୟୁନିଭରସିଟି ଅଫ୍ ଲଣ୍ଡନ ଏବଂ ଆମେରିକା ଔଷଧ କମ୍ପାନୀ ମଡର୍ଣ୍ଣ ତଥା ଇନବୋଇଓ ମିଶି ଏହି ଟିକାକୁ ପ୍ରସ୍ତୁତ କରିଛନ୍ତି ଯାହା ଆଗାମୀ ଏପ୍ରିିଲ୍ ମାସରୁ ମଣିଷଙ୍କ ଉପରେ ପରୀକ୍ଷଣ କରାଯିବ । ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଏହି ଟୀକା ପ୍ରୟୋଗ କରି କରୋନାରୁ ବଞ୍ଚାଯାଇପାରିବ ।

କରୋନା ଯୋଗୁଁ ସମ୍ପୁର୍ଣ୍ଣ ଦୁନିଆରେ ୩୮୨୫ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୮,୬୧୦ ଜଣ ଲୋକ ଆକ୍ରାନ୍ତ ଅଛନ୍ତି । ତେବେ ଏହା ପୂର୍ବରୁ ସୁସ୍ଥ ହୋଇ ସାରିଥିବା ରୋଗୀମାନଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ବୈଜ୍ଞାନିକମାନେ ସେମାନଙ୍କ ରକ୍ତ ନେଇ ପୀଡ଼ିତଙ୍କ ପାଇଁ ଔଷଧ ତିଆରି କରୁଥିବା ଜଣାପଡ଼ିଥିଲା। ଡେଲି ମେଲର ରିପୋର୍ଟ ମୁତାବକ, ବୈଜ୍ଞାନିକ ଏବଂ ଡାକ୍ତରମାନେ ମିଶି କରୋନା ସଂକ୍ରମଣରୁ ସୁସ୍ଥ ହୋଇସାରିଥିବା ଲୋକଙ୍କର ରକ୍ତ ନେଇ କରୋନାର ଟିକା ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ଜାପାନର ଔଷଧ କମ୍ପାନି ଟକେଡା ମଧ୍ୟ ଏହା ଉପରେ କାମ କରୁଥିବା ଜଣାପଡ଼ିଥିଲା।

ଖୁବଶୀଘ୍ର କମ୍ପାନି ଇମ୍ୟୁନ ସିଷ୍ଟମ ଥେରାପି ନାମରେ ଔଷଧକୁ ମାର୍କେଟକୁ ଆଣିପାରେ ବୋଲି ଜଣାପଡିଥିଲା । ଡାକ୍ତରୀ ବିଜ୍ଞାନ ଅନୁଯାୟୀ, କରୋନାରୁ ମୁକ୍ତ ହୋଇ ସାରିଥିବା ଲୋକଙ୍କ ଶରୀରରେ ଭାଇରସ ସହ ଲଢ଼ିବାର ପ୍ରୋଟିନ୍ ସୃଷ୍ଟି ହୋଇଥାଏ। ଏହି ପ୍ରୋଟିନ ଯଦି କରୋନା ପୀଡ଼ିତଙ୍କ ଶରୀରକୁ ଯାଏ, ତେବେ ସେମାନେ ସୁସ୍ଥ ହେବାର ସମ୍ଭାବନା ଅଧିକ ରହିଛି। ଏଭଳି ପ୍ରୋଟିନକୁ ଆଣ୍ଟିବଡିଜ୍ ବୋଲି ମଧ୍ୟ କୁହାଯାଇପାରେ। ଯଦି ଏହି ଔଷଧର ପରୀକ୍ଷଣ ସଫଳ ହୁଏ, ତେବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିପାରିବ। ସବୁଠାରୁ ବଡ଼ କଥା ହେଲା, ଇବୋଲା ଭୂତାଣୁରୁ ରକ୍ଷା ପାଇବା ପାଇଁ ମଧ୍ୟ ଏହି ବାଟ ଆପଣାଯାଇଥିଲା। ଯାହା ସଫଳ ହୋଇଥିଲା।