କାୟା ମେଲାଉଛି କରୋନା ! ଦେଶରେ ମୃତ୍ୟୁ ସଂଖ୍ୟା ୫ ହଜାର ପାର୍; ଦିନକରେ ସର୍ବାଧିକ ୮ ହଜାର ୩୮୦ ନୂଆ ମାମଲା, ୧୯୩ ଜଣଙ୍କ ଜୀବନ ଗଲା

330

କନକ ବ୍ୟୁରୋ: ଦେଶରେ ବଢୁଛି କରୋନାର ପ୍ରକୋପ । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୫ ହାଜର ଟପିଲା । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ହଜାର ୧୬୪କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୨ହଜାର ୧୪୩ରେ ପହଂଚିଛି ।  ତେବେ ତାଜା ସୂଚନା ଅନୁସାରେ, ଗତ ୨୪ ଘଂଟା ମଧ୍ୟରେ ସର୍ବାଧିକ ୮ ହଜାର ୩୮୦ ଜଣ ନୂଆ କରୋନା ଆକ୍ରାନ୍ତ ଠାବ ହୋଇଥିବା ବେଳେ ୧୯୩ଜଣଙ୍କର  କରୋନା ମହାମାରୀରେ ଜୀବନ ଯାଇଛି  । ତେବେ ଆଶ୍ୱସ୍ତିକର ଖବର ହେଲା କି, କରୋନା ମହାମାରୀ କବଳରେ ଦେଶରେ ବର୍ତ୍ତମାନ ୮୯,୯୯୫ ଜଣ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହେଲେଣି ୮୬,୯୮୪ । ଏନେଇ ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଅନ୍ୟପଟେ ଉଭୟ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୬୫ହଜାର ୧୬୮ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୧ ଶହ ୯୭କୁ ବୃଦ୍ଧି ପାଇଛି । ସେହିପରି ଗୁଜରାଟରେ ୧୬ହଜାର ୫୬୨ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୦୭କୁ ବୃଦ୍ଧି ପାଇଛି ।  ସେହିଭଳି ଦିଲ୍ଲୀରେ ୧୮ହଜାର ୫୪୯ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୪୧୬ । ସେହିପରି ଆନ୍ଧ୍ରପ୍ରଦେଶରେ ୩୫୬୯କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୦ରେ ପହଂଚିଛି । ମଧ୍ୟପ୍ରଦେଶରେ ୭ ହଜାର ୮୯୧ ଜଣ ଆକ୍ରାନ୍ତ  ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ।