କାୟା ମେଲାଉଛି କରୋନା । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୩୯ । କେରଳରେ ଗୋଟିଏ ପରିବାରରେ ୫ ଆକ୍ରାନ୍ତ, ଅରୁଣାଚଳ ପ୍ରଦେଶକୁ ବିଦେଶୀ ମନା ।

361

କନକ ବ୍ୟୁରୋ : ଚୀନରେ ସ୍ଥିତିରେ ସୁଧାର ଆସୁଥିବା ବେଳେ ଇରାନ୍, ଦକ୍ଷିଣ କୋରିଆ ଓ ଇଟାଲୀରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଆମେରିକାରେ ମଧ୍ୟ ୧୯ଜଣଙ୍କର ମୃତ୍ୟୁ ହେଲାଣି । ଏହାରି ଭିତରେ ଭାରତରେ ଆଜି ଗୋଟିଏ ଦିନରେ ୫ଜଣ ଆକ୍ରାନ୍ତ ହେବା ଘଟଣା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି ।

କାୟା ବିସ୍ତାର କରୁଛି କରୋନା । ସତର୍କତା ବଢ଼ୁଛି, ତତ୍ପରତା ବଢୁଛି । ତିନି ଆକ୍ରାନ୍ତ ସୁସ୍ଥ ହେବା ଭିତରେ କେରଳର କରୋନା କାହାଣୀକୁ ନେଇ ଆସିଛି ନୂଆ ତଥ୍ୟ । କେରଳରେ ଗୋଟିଏ ପରିବାରର ୫ଜଣଙ୍କ ଶରୀରରୁ ଚିହ୍ନଟ ହୋଇଛି କରୋନା ଭୁତାଣୁ । ଏହି ପରିବାରର ୩ଜଣ ନିକଟରେ ଇଟାଲିରୁ ଫେରିଥିବା ବେଳେ ସାଥିରେ ଆସିଛି ମାରାତ୍ମକ ଭୂତାଣୁ । ଆଉ ଏମାନଙ୍କ ସଂଶ୍ପର୍ସରେ ଆସି ପରିବାରର ଅନ୍ୟ ଦୁଇଜଣ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି ।

କେରଳର ଏହି ୫ ଆକ୍ରାନ୍ତଙ୍କୁ ପଥନମଥିଟ୍ଟା ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଆଉ ଏପଟେ ତାମିଲନାଡୁରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ତାମିଲନାଡୁ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇ କହିଛନ୍ତି, ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ ରହିଛି । ଏହାସହ ସଂକ୍ରମିତ ବ୍ୟକ୍ତି ଯେଉଁ ମାନଙ୍କୁ ଭେଟିଥିଲେ ତାର ତାଲିକା ପ୍ରସ୍ତୁତ କରାଯାଉଥିବା କହିଛନ୍ତି ତାମିଲନାଡୁ ସରକାର ।

ବିଦେଶୀଙ୍କୁ ଅରୁଣାଚଳ ପ୍ରଦେଶ ମନା । ଉତ୍ତରାଖଣ୍ଡରେ ସ୍କୁଲ ବନ୍ଦ ପାଇଁ ବିଚାର । କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଅରୁଣାଚଳ ପ୍ରଦେଶରେ ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଲାଗିଛି କଟକଣା । ଅରୁଣାଚଳ ପ୍ରଦେଶ ଆସିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କୁ ଦରକାର ପ୍ରୋଟେକଟେଡ୍ ଏରିଆ ପରମିଟ । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନହେବା ଯାଏଁ ବିଦେଶୀମାନଙ୍କୁ ଏହି ଅନୁମତି ନଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଉତ୍ତରାଖଣ୍ଡରେ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ହୋଲି ପରେ ଚୁଡ଼ାନ୍ତ ନିଷ୍ପତି ନେବାକୁ କୁହାଯାଇଛି ।

ସବୁଠାରୁ ବଡ଼ କଥା ହେଉଛି-

-ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ କରୋନା ଭୂତାଣୁ ଯୋଗୁଁ ୩ ହଜାର ୬୫୨ ଜଣଙ୍କ ମୃତ୍ୟୁ ହୋଇଛି ।
-ମୋଟ୍ ୧ ଲକ୍ଷ ୭ ହଜାର ୪୯ ଜଣ କରୋନା ଆକ୍ରାନ୍ତ ମାମଲା ସାରା ବିଶ୍ୱରୁ ସାମ୍ନାକୁ ଆସିଛି ।
-ଆଶ୍ୱସ୍ତିକର ଖବର ହେଉଛି ପ୍ରାୟ ୬୧ ହଜାର ଲୋକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ।
– ଚୀନରେ ସର୍ବାଧିକ ୩୦୯୭, ଇଟାଲିରେ ୨୩୩ ଏବଂ ଇରାନରେ ୧୯୪ ଜଣଙ୍କ ମୃତ୍ୟୁ ହୋଇଛି ।
-ସାରା ବିଶ୍ୱର ୧୦୩ଟି ଦେଶ କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି ।
-ଭାରତରେ ୫ଜଣ ନୂଆ ରୋଗୀ ଚିହ୍ନଟ ହେବା ସହ ମୋଟ ସଂଖ୍ୟା ୩୯ରେ ପହଂଚିଛି ।