ଶାସନ ମୁଖ୍ୟଙ୍କୁ ଘାରିଲା କରୋନା ଭୟ । ମନ୍ତ୍ରୀ ଓ ବାବୁଙ୍କ ବିଦେଶ ଗସ୍ତ ଉପରେ ଲାଗିଲା ରୋକ୍, ଏଥର ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ।

280

କନକ ବ୍ୟୁରୋ : ଏଥର ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ । କରୋନା ପ୍ରଭାବରୁ ରକ୍ଷା ପାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନବୀନ । ସେପଟେ ରାଜ୍ୟରେ କରୋନା ମୁକାବିଲା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ଓ ବାବୁଙ୍କ ବିଦେଶ ଗସ୍ତ ଉପରେ ରୋକ୍ ଲଗାଯାଇଛି । ଏଥିସହ ସଚେତନତାକୁ ବ୍ୟାପକ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏହାରି ଭିତରେ ସାରା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି ।

ରାଜ୍ୟ ପ୍ରଶାସନକୁ କରୋନା ଭୟ । ବାବୁଙ୍କ ବିଦେଶ ଗସ୍ତରେ ଲାଗିଲା ରୋକ୍ । ଗୋଟିଏ ପଟେ ମାରାତ୍ମକ କରୋନା ଭୂତାଣୁର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ପ୍ରତିଶେଧ ମୂଳକ ପଦକ୍ଷେପ ଭାବେ ବାବୁଙ୍କ ବିଦେଶ ଗସ୍ତ ଉପରେ ରୋକ୍ ଲାଗିଛି । ମନ୍ତ୍ରୀ ଓ ଅଫିସର ମାନେ ଦେଶ ବାହାରକୁ ଯିବା ଉପରେ କଟକଣା ଲଗାଇବାକୁ ଯିଏ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା ଭୂତାଣୁର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପର ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳ କରୋନା ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆବଶ୍ୟକ ପଦକ୍ଷେପ ନେବାପାଇଁ ସେମାନଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯିବ । ପର୍ଯ୍ୟାପ୍ତ ପରିମାଣର ମାକ୍ସ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାୟୋମେଟ୍ରିକ କଟକଣାକୁ କୋହଳ କରାଯିବ ।

ଅସୁସ୍ଥ ଥିଲେ ପିଲା ସ୍କୁଲ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ସ୍କୁଲ ଚଟାଣ, ଟେବୁଲ, ଡୋର ହ୍ୟାଣ୍ଡେଲକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଚେତନତା ପାଇଁ ସହରର ମୁଖ୍ୟ ସ୍ଥାନ ଗୁଡିକରେ ବ୍ୟାନର ଓ ହୋର୍ଡିଂ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗ୍ରାମପଂଚାୟତ ଓ ପଂଚାୟତ ସମିତିକୁ ଗ୍ରାମସଭା ମାଧ୍ୟମରେ ସଚେତନ କରିବାକୁ କୁହାଯାଇଛି ।

ସେପଟେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଏଥର ହୋଲି ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ହାତ ମିଳାଇବା, ଆଲିଙ୍ଗନ କରିବା କିମ୍ବା ଭିଡ ଜମାଇବାକୁ ବାରଣ କରାଯାଇଥିବାରୁ ଏଭଳି ନିଷ୍ପତି କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ହୋଲି ଖେଳିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି ।