ସେୟାର ବଜାରରେ ହାହାକାର! ମାତ୍ର ୫ ମିନିଟରେ ଉଡ଼ିଗଲା ୫ ଲକ୍ଷ କୋଟି ଟଙ୍କା । ବିଶେଷଜ୍ଞ କହିଲେ, ବିଦେଶ ନିବେଶକଙ୍କୁ ଘାରିଛି କରୋନା ଭୟ ।

455

କନକ ବ୍ୟୁରୋ: ସେୟାର ବଜାରରେ ହାହାକାର । ଶୁକ୍ରବାରର ସକାଳ ନିବେଶକଙ୍କ ପାଇଁ ଦୁସ୍ୱପ୍ନ ଭଳି ଥିଲା । ମାତ୍ର ୫ ମିନିଟରେ ୫ ଲକ୍ଷ କୋଟି ଟଙ୍କା ହରାଇବା ପରେ ମୁଣ୍ଡରେ ହାତଦେଇ ବସିଥିଲେ ନିବେଶକ । ସପ୍ତାହର ଶେଷ ଦିନରେ ସେନସେକ୍ସ ଓ ନିଫଟିରେ ବଡ ହ୍ରାସ ଦେଖିବାକୁ ମିଳିଛି । କାରବାର ଶେଷ ହେଲା ବେଳକୁ ସେନସେକ୍ସ ୧୪ ଶହ ୪୮ ପଏଂଟ କମିଥିବାବେଳେ, ନିଫଟିରେ ୪୧୪ ପଏଂଟ ହ୍ରାସ ଘଟିଥିଲା । ମୋଟ ୫ ଲକ୍ଷ ୫୩ ହଜାର କୋଟି ଟଙ୍କାର କ୍ଷତି ଘଟିଥିଲା ସେୟାର ମାର୍କେଟରେ ।

ସବୁଠାରୁ ବଡ଼କଥା ହେଲା କି, ଏହି ସପ୍ତାହରେ ସେୟାର ବଜାର ଯେତିକି କ୍ଷତିଗ୍ରସ୍ତ ହୋଇଛି, ୨୦୦୮ ବିଶ୍ୱ ମାନ୍ଦାବସ୍ଥା ପରେ ସର୍ବାଧିକ ବୋଲି କୁହାଯାଉଛି । ଏହି ୬ ଦିନରେ ନିବେଶକ ପାଖାପାଖି ୧୨ ଲକ୍ଷ କୋଟି ହରାଇସାରିଲେଣି । ବିଶେଷଜ୍ଞଙ୍କ ଅନୁସାରେ, କରୋନା ଭାଇରସ୍ର ଭୟ ଯୋଗୁଁ ନିବେଶକମାନେ ଆଶଙ୍କା ଭିତରେ ରହୁଛନ୍ତି । ଭାରତୀୟ ବଜାର ଅନେକାଂଶରେ ଚୀନର ସାମଗ୍ରୀ ଉପରେ ନିର୍ଭର କରୁଛି ।

ସେପଟେ ଚୀନରେ କରୋନା ଯୋଗୁଁ ପାଖାପାଖି ୩ ହଜାର ଲୋକଙ୍କ ଜୀବନ ଯାଇଛି, ୮୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ମହାମାରୀ ଭଳି କରୋନା ମାଡ଼ି ଚାଲୁଥିବା ବେଳେ ଏହାର ସାଂଘାତିକ ପ୍ରଭାବ ପଡ଼ିଛି ଏସିଆର ସେୟାର ବଜାର ଉପରେ । ସେୟାର ବଜାରର ଅଶୁଭ ଖବର ଭିତରେ ଆସିଛି ଦେଶର ତ୍ରୟମାସିକ ଅଭିବୃଦ୍ଧି ରିପୋର୍ଟ । ଅକ୍ଟୋବର-ଡିସେମ୍ବର ତିନି ମାସରେ ଡିଜିପି ଅଭିବୃଦ୍ଧି ୪ ଦଶମିକ ୭ ପ୍ରତିଶତ ରହିଛି । ପୂର୍ବ ତ୍ରୟମାସିକ ଅଭିବୃଦ୍ଧି ଥିଲା ୪ ଦଶମିକ ୫ ପ୍ରତିଶତ ।