ଓଡିଶାରେ ଚାଇନା ଭାଇରସ୍ ଆତଙ୍କ ! ଫୁଲବାଣୀରେ ଜଣେ ଛାତ୍ର ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ । ନିକଟରେ ଚୀନରୁ ଫେରିଥିଲେ ଯୁବକ, ଚିକିତ୍ସା ପାଇଁ ଏସସିବି ସ୍ଥାନାନ୍ତର

902

କନକ ବ୍ୟୁରୋ: ଓଡିଶାରେ କରୋନା ଭାଇରସ ସନ୍ଦେହ । ଫୁଲବାଣୀରେ ଜଣେ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଛାତ୍ର ଜଣକ ନିକଟରେ ଚୀନରୁ ଫେରିଥିଲେ । ଗତ ୧୦ ଦିନ ପୂର୍ବେ ସେ ଫୁଲବାଣୀକୁ ଫେରିଥିଲେ । ଚିକିତ୍ସା ପାଇଁ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଫୁଲବାଣୀ ସିଡିଏମଓଙ୍କୁ ଚିଠି ଲେକି ଜଣାଇଥିଲେ ଛାତ୍ର ।ଚୀନରେ ଡାକ୍ତରୀ ପାଠ ପଢୁଛନ୍ତି ଏହି ଛାତ୍ର ଜଣକ ।

ସେପଟେ, କେରଳ ପରେ ଦିଲ୍ଲୀକୁ ଡେଇଁଲା କରୋନା ଭୂତାଣୁ । ଦିଲ୍ଲୀରେ ୫ ଜଣଙ୍କ ଠାରେ କରୋନା ଭୂତାଣୁ ଥିବା ସନ୍ଦେହ ଘେରକୁ ଆସିବା ପରେ ଏପରି ସୂଚନା ମିଳିଛି । ଦିଲ୍ଲୀ ବିମାନ ବନ୍ଦରରେ ଚୀନରୁ ଫେରିଥିବା ୫ ଜଣଙ୍କୁ ଯାଂଚ ବେଳେ ସେମାନଙ୍କଠାରେ କରୋନା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖା ଦେଇଥିଲା । ଏହା ପରେ ଏହି ୫ ଜଣଙ୍କୁ ଦିଲ୍ଲୀର ଏମଆରଏଲ୍ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଏମାନଙ୍କର ଠାରୁ ନମୂନା ସଂଗ୍ରହ କରାଯାଇ ପୁନେ ପଠା ଯାଇଛି ।  ସେହିପରି ମୁମ୍ୱାଇ ବିମାନ ବନ୍ଦରରେ ୨୮ ଜାନୁଆରୀ ସୁଦ୍ଧା ୪ ହଜାର ୮ ଶହ ୪୬ ଲୋକଙ୍କ ଯାଂଚ କରା ଯାଇଛି । ସେମାନଙ୍କ ମଧ୍ୟରୁ ୨୮ ମହାରାଷ୍ଟ୍ରରୁ ଯେଉଁମାନଙ୍କ ଠାରେ କରୋନା ଭୂତାଣୁର ଲକ୍ଷଣ ଦେଖିବାକୁ ମିଳିଥିଲା । ସେମାନଙ୍କୁ ସ୍ପେଶାଲ ୱାର୍ଡକୁ ପଠାଇ ଦିଆଯାଇଛି । ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

ଅନ୍ୟପଟେ, ଚୀନରେ ବଢୁଥିବା କରୋନା ଭୂତାଣୁ ଏବେ ମହାମାରୀ ଭଳି ବ୍ୟାପି ଚାଲିଛି । ଚୀନର ଉହାନ ପ୍ରୋଭିନ୍ସରେ ଥିବା ୬୦୦ ଭାରତୀୟଙ୍କୁ କିପରି ଫେରାଇ ଅଣାଯିବ ସେନେଇ ଭାରତ ସରକାରଙ୍କ ବଢିଛି ଚିନ୍ତା । ସୂଚନା ଅନୁସାରେ ଚୀନରୁ ଭାରତୀୟଙ୍କୁ ଫେରାଇ ଆଣିବାର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ । ଏନେଇ ଦୁଇଟି ବିମାନ ବ୍ୟବସ୍ଥା କରାଯାଇଛି । ପ୍ରଥମ ଦଫାରେ ୩୧୫ ଜଣ ଆସିବା ନେଇ ସୂଚନା ମିଳିଛି ।