‘କରୋନା’କୁ ନଜର ରଖିବେ ସରପଞ୍ଚ: ଗତ ୧୪ ଦିନ ଭିତରେ ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ସଂପର୍କରେ ଅନୁଧ୍ୟାନ କରି ବିଡିଓଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ; ଜିଲ୍ଲା ଓ ବ୍ଲକସ୍ତରରେ ରହିବ କ୍ବାରେଣ୍ଟାଇନ୍ ସୁବିଧା

Advertisment
ଓଡିଶାରେ ଆରମ୍ଭ ହେଲା କରୋନା ଟେଷ୍ଟ । ଭୁବନେଶ୍ୱର ଆରଏମଆରସିରେ ହେଉଛି କରୋନା ନମୂନା ପରୀକ୍ଷା

କନକ ବ୍ୟୁରୋ: କରୋନା ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଅଂଟା ଭିଡିଥିବା ବେଳେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଦୁଇ ଜଣ ସନ୍ଦିଗ୍ଧ ରୋଗୀଙ୍କ ଯାଂଚ୍ କରାଯାଉଛି । ବର୍ତମାନ ସୁଦ୍ଧା ୧୪୧ ଜଣଙ୍କୁ ନଜରରେ ରଖାଯାଇଛି । କିଏ ବିଦେଶରୁ ଫେରୁଛନ୍ତି ସେ ସଂପର୍କରେ ସରପଂଚମାନେ ଅନୁଧ୍ୟାନ କରି ସ୍ଥାନୀୟ ବିଡିଓମାନଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି । ରାଜ୍ୟର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଡାକ୍ତରଖାନା ଏବଂ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସଫାସୁତୁରା ରଖାଯିବା ପାଇଁ କୁହାଯାଇଛି । ଏହା ସହ ସମସ୍ତ ଡାକ୍ତରଖାନାକୁ ବିଶୁଦ୍ଧ ଓ ବିଜୁଳି ବ୍ୟବସ୍ଥା ଯୋଗାଇ ଦିଆଯିବ । ସେହିପରି ସ୍ଥିତିର ମୁକାବିଲା ପାଇଁ ରାଜ୍ୟରେ ଟେକ୍ନିକାଲ ଆଡଭାଇସ୍ କମିଟି ଗଠନ କରାଯିବ । ଏହି କମିଟିରେ ଏମ୍ସ ନିର୍ଦ୍ଦେଶକଙ୍କ ସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରହିବେ । ଏହି ଟିମ୍ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ସୁଚିନ୍ତତ ମତାମତ ଦେବେ ।

ଅପରପକ୍ଷରେ ରାଜ୍ୟକୁ ବିଦେଶରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଡାଟାବେସ୍ ପ୍ରସ୍ତୁତ କରାଯିବ। ବିମାନ ବନ୍ଦରରେ ହିଁ ଯାତ୍ରୀମାନଙ୍କୁ ଏ ସଂପର୍କରେ ସମସ୍ତ ସୂଚନା ଦିଆଯିବ। ପୂର୍ବରୁ ବିମାନ ବନ୍ଦରରେ ଯାତ୍ରୀମାନଙ୍କର କେବଳ ସ୍କ୍ରିନିଂ ହେଉଥିବା ବେଳେ ଏବେ ଯାତ୍ରୀମାନଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବର ସଂଗ୍ରହ କରାଯିବ। ଯାହାଫଳରେ ପରବର୍ତୀ ସମୟରେ ସଂପୃକ୍ତ ବ୍ୟକ୍ତିଙ୍କୁ ଠାବ କରିବାରେ ଏହା ସହାୟକ ହୋଇପାରିବ। ବିମାନ ବନ୍ଦର କର୍ତୃପକ୍ଷଙ୍କୁ ଏ ସଂପର୍କରେ ଜଣାଇ ଦିଆଯାଇଛି। ଆଜିଠାରୁ କିମ୍ବା ସୋମବାରଠାରୁ ଏହି ଡାଟବେସ୍ ପ୍ରସ୍ତୁତି ଆରମ୍ଭ କରାଯିବ। ସେହିପରି ଜିଲ୍ଲା ଓ ବ୍ଲକ୍‌ସ୍ତରରେ ସନ୍ଦିଗ୍ଧମାନଙ୍କୁ କ୍ବା‌ରେଣ୍ଟାଇନ୍ ବା ପୃଥକ୍ ଭାବେ ରଖିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ସ୍ବତନ୍ତ୍ର ଭାବେ କ୍ବାରେଣ୍ଟାଇନ୍ ସୁବିଧା ପ୍ରସ୍ତୁତ କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ତୁରନ୍ତ ଜାଗା ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ।

ଏହି ଅସ୍ଥାୟୀ କ୍ବା‌ରେଣ୍ଟାଇନ୍ ସୁବିଧାରେ ସର୍ବାଧିକ ୧୦୦ଜଣ ସନ୍ଦିଗ୍ଧଙ୍କୁ ରଖିବା ଲାଗି ବ୍ୟବସ୍ଥା ରହିବ। ଏଠାରେ ଖଟ, ଗଦି, ପାଣି ଓ ଅନବରତ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦିଆଯିବ। ଯେଉଁ ଲୋକମାନଙ୍କର କରୋନା ସଂକ୍ରମିତ ଅଞ୍ଚଳର ଯାତ୍ରା ଇତିହାସ ରହିଥିବ, ସେହିମାନଙ୍କୁ ହିଁ ଏଠାରେ ରଖାଯିବ। ତେବେ ଏଠାରେ ରହିବା ପୂର୍ବରୁ ସେମାନଙ୍କୁ ହୋମ୍ କ୍ବା‌ରେଣ୍ଟାଇନ୍‌ରେ ରଖିବା ଲାଗି ବୁଝାଯିବ। ତେବେ ଯେଉଁମାନଙ୍କର ହୋମ୍ କ୍ବା‌ରେଣ୍ଟାଇନ୍‌ର ବିଶେଷ ସୁବିଧା ନ ଥିବ, ସେମାନେ ଏଠାରେ ରହିପାରିବେ। ଏହି କ୍ବାରେଣ୍ଟାଇନ୍‌ରେ ଯେଉଁ ଲୋକମାନେ ରହି‌ବେ, ଯଦି ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ସମସ୍ୟା ଆସିବ, ‌ତେବେ ଡାକ୍ତରୀ ଦଳ ସେଠାରେ ପହଞ୍ଚି ଚିକିତ୍ସା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe