ଭାଇରସ ଭୟରେ ପଶୁ ହତ୍ୟା । ଚୀନରୁ ଆସିଲା କରୁଣ ଚିତ୍ର । କରୋନା ଭାଇରସ ସଂକ୍ରମଣ ଭୟରେ ଗୃହପାଳିତ ପଶୁକୁ ମାରିଦେଉଛନ୍ତି ଲୋକେ ।

617

କନକ ବ୍ୟୁରୋ : କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ବରେ କୋକୁଆ ଭୟ ସୃଷ୍ଟି ହୋଇଛି । ଯେଉଁଭଳି ଭାବରେ ଏହା ବ୍ୟାପିବାରେ ଲାଗିଛି, ତାକୁ ଆଖି ଆଗରେ ରଖି ଏବେ ସମସ୍ତଙ୍କ ମନରେ ସଂକ୍ରମଣର ଭୟ ଦେଖିବାକୁ ମିଳୁଛି । ଯାହା ପାଇଁ ଚୀନରେ ଲୋକେ ଘରୁ କମ ବାହାରିବା ସହ ମୁହଁରେ ମାସ୍କ ଲଗାଇ ବାହାରକୁ ବାହାରୁଥିବା ଦେଖାଯାଉଛି । ତେବେ ଚୀନରେ କରୋନା ଭାଇରସର ଭୟ ଏବେ ଚୀନ୍‌ବାସୀଙ୍କୁ ବଡ଼ ଭୁଲ କରିବାକୁ ବାଧ୍ୟ କରିଛି । ଘରେ ଥିବା ପାଳିତ କୁକୁର ଓ ବିଲେଇଠାରୁ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ଭାବି ଚୀନବାସୀ ନିଜ ପାଳିତ ପଶୁମାନଙ୍କୁ ମାରି ଦେଉଥିବା ଜଣା ପଡ଼ିଛି । ଘର ବାହାରକୁ ବାହାରିବାର ଅନୁମତି ନଥିବାରୁ ଲୋକେ ନିଜ ବାଲକୋନିରୁ କୁକୁର ଓ ବିଲେଇକୁ ତଳକୁ ଫିଙ୍ଗି ଦେଉଛନ୍ତି । ଯାହାଦ୍ବାରା ସେମାନଙ୍କ ମୃତ୍ୟୁ ଘଟୁଛି ।

ଏଭଳି ଖବର ରାସ୍ତାରେ ପଡ଼ିଥିବା ବିଲେଇମାନଙ୍କ ମୃତଦେହର ଫଟୋ ଭାଇରାଲ ହେବା ପରେ ସାମ୍ନାକୁ ଆସିଛି । ଚୀନର ସାଂଘାଇ ସହର ଓ ନିୟାନଜିନ୍ ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ଗଳିରେ ବିଲେଇ ଓ କୁକୁରମାନଙ୍କର ମୃତଦେହ ପଡ଼ିଥିବାର ଦେଖାଯାଇଥିବା ବେଳେ ସଂକ୍ରମଣ ଭୟରେ ଲୋକେ ଏଭଳି କରୁଥିବା ସାମ୍ନାକୁ ଆସିଛି ।

ତେବେ ଚୀନରେ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି କି, ରାସ୍ତାରେ ଚାଲୁଥିବା ସମୟରେ ଲୋକେ ଟଳି ପଡ଼ୁଛନ୍ତି । ଦିନକୁ ଦିନ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ଭାଇରସର ମୂଳପୋଛ ପାଇଁ ଲାଗି ପଡ଼ିଛନ୍ତି ଚୀନ୍ ସରକାର ।