ଗାଁ ଗଣ୍ଡାରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ନିୟମଗିରିରେ ପଶିଲା କରୋନା, ୨ ଦିନରେ ୧୯ ପଜିଟିଭ୍ । ବଣ୍ଡାଘାଟିରେ ୧୨ ଆକ୍ରାନ୍ତ ଚିହ୍ନଟ ପରେ ବଢିଲା ଚିନ୍ତା ।

182

କନକ ବ୍ୟୁରୋ: ଆଦିବାସୀ ଇଲାକାରେ କରୋନା ପଶିଲେ ପରିସ୍ଥିତି ଉକ୍ରଟ ହେବା ଆଶଙ୍କା କରାଯାଉଥିଲା, ଏହି ଆଶଙ୍କା ଏବେ ସତରେ ପରିଣତ ହେବାରେ ଲାଗିଛି । ନିୟମଗିରି ଓ ବଣ୍ଡା ଘାଟିରେ କରୋନା ଚିହ୍ନଟ ହେବା ପରେ ମହାମାରୀର ବିକଳ ଚିତ୍ର ସାମନାକୁ ଆସିଛି । ନିୟମଗିରିରେ ଦୁଇ ଦିନରେ ୧୯ ଜଣ ପଜିଟିଭ୍ ହୋଇଥିବା ବେଳେ ବଣ୍ଡା ଘାଟିରେ ଏକାଥରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ତ୍ୱରିତ ପଦକ୍ଷେପ ନିଆନଯାଏ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା ରହିଛି । ଦ୍ୱିତୀୟ ଲହରରେ ଗାଁ ମୁହାଁ ହେବାରେ ଲାଗିଛି କରୋନା ।

ଏ ହେଉଛି ନିୟମଗିରି ଅଂଚଳର ଦୃଶ୍ୟ । କରୋନାରେ ଆକ୍ରାନ୍ତ ହୋଇ ଘର ବାରଣ୍ଡାରେ ପଡିଛନ୍ତି ରୋଗୀ । ସ୍ୱାବ ପରୀକ୍ଷା ଓ ଔଷଧ ବାଂଟିବା ପାଇଁ ନାକେଦମ ହେଉଛନ୍ତି ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ବିଡିଓ । ଘର ଘର ବୁଲି ଲୋକଙ୍କୁ ବୁଝାଉଛନ୍ତି, ହେଲେ ଡଙ୍ଗରିଆମାନେ ଏସବୁ ମାନିବାକୁ ସହଜରେ ରାଜି ହେଉନାହାନ୍ତି । ପ୍ରଥମେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବହୁ କଷ୍ଟରେ ଆଉ ୧୬ ଜଣଙ୍କ ସ୍ୱାବ ନମୁନା ନେଇ ପରୀକ୍ଷା କରାଯାଇଥିଲା, ସେଥିରୁ ୧୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକର ପାରସଲି ଓ ସୁନାଖଣ୍ଡି ପଂଚାୟତରୁ ଏପର୍ଯ୍ୟନ୍ତ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗାଁ ମୁଖିଆଙ୍କୁ ବୁଝାଇ ଲୋକଙ୍କ ଏକାଠି କରି ବିଡିଓ, ସ୍ୱାସ୍ଥ୍ୟ କର୍ମୀ ଲୋକଙ୍କୁ କରୋନା ପରୀକ୍ଷା କରିବା, ଔଷଧ ଖାଇବା ଏବଂ ଗାଁ ବାହାରକୁ ନଯିବାକୁ ବୁଝାଇଛନ୍ତି, ତେବେ ଏହି ଜନଜାତିର ଲୋକେ ଏସବୁ ବୁଝିବାକୁ ନାରାଜ । ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ନନେଲେ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା ରହିଛି ।

ଏପଟେ ବଣ୍ଡାଘାଟିକୁ ବି ଡେଇଁଛି କରୋନା । ମାଲକାନଗିରି ଜିଲା ବଣ୍ଡାଘାଟିରେ ପ୍ରଥମ ଥର ପାଇଁ ୧୨ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ମୁଦୁଲିପଡା ଏବଂ ଅଣ୍ଡ୍ରାହଲ ର କିଛି ଲୋକ ଅନକାଡେଲି ସାପ୍ତାହିକ ହାଟକୁ ଯାଇଥିବାବେଳେ ଆନ୍ଧ୍ର ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଅନୁମାନ କରୁଛି ଜିଲ୍ଲା ପ୍ରଶାସନ । ଏକାଥରେ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବଣ୍ଡାଘାଟିର ବଡବେଲ ଗାଁକୁ ସଂପୂର୍ଣ୍ଣ କନଟେନମେଂଟ ଜୋନ ଘୋଷଣା କରିବା ସହିତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ କରୋନା ପରୀକ୍ଷା କରାଉଛି ମେଡିକାଲ ଟିମ୍ ।

କରୋନାର ଦ୍ୱିତୀୟ ଲହରିକୁ ନେଇ ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ଭୟ ବଢୁଛି । ସହରାଂଚଳରେ ଯେତିକି ଭୟ ଗାଁରେ ତା’ଠାରୁ ଅଧିକ ଭୟ । ନବରଙ୍ଗପୁର ଓ ଉମରକୋଟ ସହରରେ ଆକ୍ରାନ୍ତ ସଂଖ୍ୟା ଧିରେ ଧିରେ କମୁଥିବା ବେଳେ ଜିଲ୍ଲାର ଛତିଶଗଡ ସୀମାନ୍ତବର୍ତୀ ଗ୍ରାମାଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଢେର ଅଧିକ ରହିଛି । ଗତ ୨୪ ଘଂଟାରେ ନବରଙ୍ଗପୁର ଜିଲ୍ଲାର ସହରାଂଚଳରୁ ୧୦୭, ଗ୍ରାମାଂଚଳରୁ ୩୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ସୁନ୍ଦରଗଡରେ ମଧ୍ୟ ଗ୍ରାମାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ପ୍ରତିଦିନ ରାଜ୍ୟରେ ଚିହ୍ନଟ ହେଉଥିବା ସଂକ୍ରମିତ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ସୁନ୍ଦରଗଡ ଜିଲ୍ଲା । ଆଉ ଅଧାରୁ ଅଧିକ ରୋଗୀ ଗ୍ରାମାଂଚଳରୁ ଚିହ୍ନଟ ହେଉଛନ୍ତି, ଯାହା ଭୟର ବାତାବରଣ ସୃଷ୍ଟି କରିଛି ।

ଖୋର୍ଦ୍ଧା ଜିଲ୍ଲାର ଗାଁଗୁଡିକ ବି କରୋନାର ପ୍ରକୋପ ବଢ଼ି ବଢ଼ି ଚାଲିଛି । ଲୋକେ ଜ୍ୱର, ଥଣ୍ଡାରେ ପଢୁଥିବାରୁ ଭୟଭୀତ ହୋଇ ପଡୁଛନ୍ତି । ପଜିଟିଭ୍ ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ବୋଲଗଡ଼ ବ୍ଳକର ସାନପଦର ଗାଁରେ ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଗାଁକୁ ସାନିଟାଇଜ୍ କରାଯାଉଛି ।

କିଛି ଦିନ ହେଲା ସହରାଂଚଳ ଅପେକ୍ଷା ଗ୍ରାମାଂଚଳରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଂଚଳ ଓ ଗ୍ରାମାଂଚଳରେ କରୋନା ସଂକ୍ରମଣ ଦେଖା ଦେବା ପରେ ଏହା ସରକାରଙ୍କୁ ଚିନ୍ତାରେ ପକାଇଛି । ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ଭିତିଭୂମିକୁ ପ୍ରସ୍ତୁତ ରଖିବା ସହ ଗ୍ରାମାଂଚଳ ପାଇଁ ନୂଆ ଗାଇଡଲାଇନ ଜାରି କରିଛି କେନ୍ଦ୍ର । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବନ୍ଦୋବସ୍ତ କରିବାକୁ କୁହାଯାଇଛି ।