ରାଜ୍ୟରେ କରୋନାର ଅସମ୍ଭାଳ ସ୍ଥିତି: ବୁର୍ଲାରେ ୫ଟି ୱାର୍ଡ ସଟଡାଉନ, ୯ଟି ସ୍ଥାନରେ ୧୪୪ ଧାରା ଜାରି; ଗଜପତିରେ ୯ଟା ସାହି କଂଟେନମେଂଟ ଜୋନ

254

କନକ ବ୍ୟୁରୋ: ବୁର୍ଲାରେ ୨ ଦିନିଆ ସଟଡାଉନ୍ । ଆସନ୍ତା ୯ ଓ ୧୦ ତାରିଖ ପାଇଁ ଏହି ସଟଡାଉନ ଘୋଷଣା କରାଯାଇଛି । ବୁର୍ଲାର ୩ ନଂ , ୪ନଂ, ୫ ନଂ, ୭ ନଂ ୱାଡ ଓ ୭ ନଂବର ୱାର୍ଡ ଅଂଚଳ ସଟଡାଉନ୍ ହେବ । କେବଳ ଜରୁରୀକାଳିନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ସେହିପରି ସଟଡାଉନରୁ ବୁର୍ଲା ଭୀମସାର କ୍ୟାମ୍ପସକୁ ବାଦ୍ ଦିଆଯାଇଛି । ଏହା ବାଦ୍ ବୁର୍ଲାର ଆଉ ୮ଟି ସ୍ଥାନରେ ୧୪୪ ଧାରା ଲାଗୁ ହୋଇଛି । ୧୦ ତାରିଖ ଯାଏଁ ଏହା ଲାଗୁ ହେବ । ଫାଣ୍ଡି ଛକ, ଗୋପବନ୍ଧୁ ଛକ, ବୋର୍ଡ କଲୋନୀ, ତେଲୁଗୁପଡା, ଗୁରୁଦ୍ୱାର ଛକ, କଂଟାକ୍ଟର କଲୋନୀ, ଗାନ୍ଧି ପଡା, ଭକ୍ତିମଣ୍ଡପରେ ଲାଗୁ ହୋଇଛି ୧୪୪ ଧାରା । ଏହି ଅଂଚଳ ଗୁଡିକ ଠାରୁ ୧୦୦ ମିଟର ମଧ୍ୟରେ କେହି ପ୍ରବେଶ କରିପାରିବେ ନାହିଁ ବୋଲି କଟକଣା ଜାରି ହୋଇଛି । ଗତକାଲି ସ୍ଥାନୀୟ ଅଂଚଳରୁ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ଏପରି ନିଷ୍ପତି ନେଇଛି ।

ଗଜପତି ଜିଲ୍ଲାରେ ବ୍ୟାପିବାରେ ଲାଗିଛି କରୋନା ଭୂତାଣୁ । ସହରର ବିଭିନ୍ନ ସ୍ଥାନରୁ ଚିହ୍ନଟ ହେଲେଣି ଆକ୍ରାନ୍ତ । ଏହାକୁ ନଜରରେ ରଖି ଗଜପତି ସହରର ୯ଟି ସାହିକୁ କଂଟେନମେଂଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । କଣ୍ଡାସାହି, ନଡିଆତୋଟା ସାହି, ବାଳିକା ବିଦ୍ୟାଳୟ ସାହି, ସୁବାସ ନଗର, ଇନ୍ଦିରା ନଗର, ଧୋବା ସାହି, ମାଟିଆ ସାହି, ଭଣ୍ଡାରୀ ସାହିକୁ ତିନି ଦିନ ପାଇଁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଜୁଲାଇ ୮ ତାରିଖରୁ ଜୁଲାଇ ୧୧ ତାରିଖ ଯାଏଁ ୯ଟି ସାହିକୁ ସିଲ୍ କରିଛି ପ୍ରଶାସନ । ଗଜପତି ଏକ ଛୋଟିଆ ଜିଲ୍ଲାହୋଇଥିଲେ ମଧ୍ୟ ଅଳ୍ପ ଦିନରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୫୧୬ରେ ପହଁଚି ଯାଇଛି । ତେଣୁ କରୋନା ସଂକ୍ରମଣକୁ ନଜରରେ ରଖି ଅଧିକ ସଂକ୍ରମଣ ପ୍ରବଣ ୯ଟି ସାହିକୁ ଏବେ ସିଲ୍ କରାଯାଇଛି । ପ୍ରଶାସନର ନିଷ୍ପତିକୁ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି ।