କ’ଣ କରୋନା କାଳରେ ବିବାହ କରିବା ନିହାତି ଜରୁରୀ ? ଅମାନିଆ ହୋଇ ବିବାହ କଲେ ୯୫ ଅତିଥିଙ୍କୁ କରୋନା ବାଣ୍ଟିଲେ , ୨ ଦିନ ପରେ କରୋନା କୋଳକୁ ଚାଲିଗଲା ବର

18,726

କରୋନାର ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କ ପକ୍ଷରୁ ବାରମ୍ବାର ଲୋକଙ୍କୁ ନିୟମ ମାନି ଚଳିବା ପାଇଁ ତାଗିଦ୍ କଲେ ହେଁ ଅମାନିଆ ଲୋକଙ୍କୁ କିଛି ଫରକ୍ ପଡ଼ୁନାହିଁ । ନିଜର ମୁର୍ଖାମୀ କାରଣରୁ ମରଣକୁ ସାଥୀ କରିବାକୁ ପଛାଉନାହାନ୍ତି ଲୋକ । ଏଭଳି ଏକ ଘଟଣା ଘଟିଛି ବିହାରର ରାଜଧାନୀ ପଟନାର ପାଲିଗଞ୍ଜରେ । ଏଠାରେ ସୋମବାର ଏକାଥରେ ୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁନ୍ ୧୫ ତାରିଖରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ୯୫ ଜଣ ଅତିଥି ସଂକ୍ରମିତ ହୋଇଥିବାବେଳେ ୮୦ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିସାରିଛି । ଖାଲି ଏତିକି ନୁହଁ କରୋନାରେ ବରର ମୃତ୍ୟୁ ମଧ୍ୟ ହୋଇଛି ।

ସୂଚନା ମୁତାବକ , ଗୁରୁଗ୍ରାମରେ ସଫ୍ଟୱେୟାର୍ ଇଞ୍ଜିନିୟର୍ ଥିବା ୩୦ ବର୍ଷୀୟ ବର ବିବାହ ପାଇଁ ନିଜ ଗାଁକୁ ଆସିଥିଲେ । ହେଲେ ତାଙ୍କୁ କ୍ୱାରେଣ୍ଟିନରେ ରଖିବା ବଦଳରେ ବିବାହ ବେଦୀରେ ବସାଇ ଦେଇଥିଲେ ପରିବାର ଲୋକ । ତା’ପରେ ବର କୋଭିଡ଼-୧୯ ପଜିଟିଭ୍ ଚିହ୍ନଟ ହେଲେ ଆଉ ୯୫ ଜଣ ସଂକ୍ରମଣର ଶିକାର । ବିବାହର ୨ ଦିନ ପରେ ହିଁ ବରର କରୋନାରେ ମୃତ୍ୟୁ ଘଟିଲା । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ବିବାହରେ ନିମନ୍ତ୍ରିତ ହୋଇଥିବା ସବୁ ଅତିଥିଙ୍କ ଟେଷ୍ଟ ଆରମ୍ଭ ହେଲା । ଯେଉଁଥିରେ ୧୫ ଜଣ ସଂକ୍ରମିତ ଜଣାପଡିଥିବା ବେଳେ ୮୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏଥିରେ ବଧୂଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଏହା ପୂର୍ବରୁ ରାଜସ୍ଥାନରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ୨୫୦ ଲୋକଙ୍କୁ ବିବାହରେ ଡ଼ାକି କରୋନା ବାଣ୍ଟିଥିଲେ ବରବାପା । ପରେ ୧୨୭ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବାବଦରେ ୬ ଲକ୍ଷ ୨୬ ହଜାର ୬୦୦ ଟଙ୍କା ଗଣିଥିଲେ ବରବାପା ।